ଭୁବନେଶ୍ୱର: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ହତ୍ୟାକାଣ୍ଡର ରହସ୍ୟ ଭେଦ କରିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଅଧିକ ଜୋରଦାର କରିଥିବା ବେଳେ ଏବେ ମାମଲାରେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ଏନଏଚଆରସିରେ ପଚରାଉଚରାର ସମ୍ମୁଖୀନ ହୋଇଥିବା ସୌମ୍ୟଙ୍କ ରହସ୍ୟମୟୀ ଯୁବତୀ ବାନ୍ଧବୀଙ୍କୁ ନେଇ ପରିବାର ପକ୍ଷରୁ ଆସିଥିବା ଖୁଲାସା ଏହି ଘଟଣାକୁ ଆହୁରି ଚର୍ଚ୍ଚାରେ ଆଣିଛି।
ସୌମ୍ୟଙ୍କ ମାମୁଁ ଗଣମାଧ୍ୟମକୁ କହିଛନ୍ତି ଯେ, ଉକ୍ତ ଯୁବତୀଙ୍କ ସହ ସୌମ୍ୟଙ୍କ ବିବାହ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିଲା। ଦୁଇ ପରିବାର ମଧ୍ୟରେ ସହମତି ହୋଇସାରିଥିଲା ଏବଂ ଖୁବଶୀଘ୍ର ଉଭୟଙ୍କ ବିବାହ ହେବାକୁ ଯାଉଥିଲା। ଏହାଠାରୁ ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଖ୍ୟ ଅଭିଯୁକ୍ତ ଭାବେ ଚର୍ଚ୍ଚାରେ ଥିବା ଓମ୍ଙ୍କ ସହ ସୌମ୍ୟଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବଂ ମତଭେଦ ସମ୍ପର୍କରେ ସେ ନିଜ ବାନ୍ଧବୀଙ୍କୁ ସବୁ କଥା କହିଥିଲେ। ତେଣୁ ଏହି ଯୁବତୀଙ୍କ ବୟାନ ତଦନ୍ତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂତ୍ର ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପଟେ, କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ଘରେ ପହଞ୍ଚି ତାଙ୍କ ବାପା ଓ ମାଆଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଛି। ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିବା ସହ ସୌମ୍ୟଙ୍କ କୋଠରୀରୁ ଆଉ ଏକ ବ୍ୟକ୍ତିଗତ ଡାଏରୀ ଜବତ କରାଯାଇଛି। ପୂର୍ବରୁ ମିଳିଥିବା ଡାଏରୀ ପରେ ଏହି ନୂଆ ଡାଏରୀ ତଦନ୍ତର ଦିଗ ବଦଳାଇ ପାରେ ବୋଲି ଅନୁମାନ କରାଯାଉଛି।
କ୍ରାଇମବ୍ରାଞ୍ଚ ଏବେ ଖୋଜୁଛି ଏହି ଡାଏରୀରେ ସୌମ୍ୟ କ’ଣ ଲେଖିଥିଲେ? ତାଙ୍କ ଜୀବନରେ ଘଟୁଥିବା ଘଟଣା, ବ୍ୟକ୍ତିଗତ ସଂଘର୍ଷ କିମ୍ବା ଓମ୍ଙ୍କ ସହ ବିବାଦ ସମ୍ପର୍କିତ କୌଣସି ତଥ୍ୟ ଏଥିରେ ଉଲ୍ଲେଖ ଅଛି କି ନାହିଁ, ସେସବୁ ଦିଗକୁ ନେଇ ତନାଘନା ଚାଲିଛି। ତଦନ୍ତକାରୀ ଦଳ ଡାଏରୀର ପ୍ରତ୍ୟେକ ପୃଷ୍ଠାକୁ ଖୁବ୍ ସୂକ୍ଷ୍ମ ଭାବେ ଯାଞ୍ଚ କରୁଛି।
କେବଳ ଡାଏରୀ କିମ୍ବା ପରିବାରର ବୟାନ ନୁହେଁ, କ୍ରାଇମବ୍ରାଞ୍ଚ ଏବେ ଜିମ୍ ସଂପୃକ୍ତ ତଥ୍ୟ ଉପରେ ମଧ୍ୟ ଫୋକସ୍ କରିଛି। ଅଡଶପୁର ଅଞ୍ଚଳରେ ଥିବା ଜିମ୍ରୁ ଗୁରୁତ୍ୱପୂର୍ଣ୍ଣ ଡାଟା ସଂଗ୍ରହ କରାଯାଇଥିବା ବେଳେ ସେଗୁଡ଼ିକର ବିଶ୍ଳେଷଣ ଚାଲିଛି। ଆବଶ୍ୟକ ପଡ଼ିଲେ ସତ୍ୟବିହାର ସ୍ଥିତ ଜିମ୍ରେ ମଧ୍ୟ ତଦନ୍ତ ପରିସର ବଢ଼ିପାରେ।
କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରା ସ୍ପଷ୍ଟ କରିଛନ୍ତି ଯେ, ପରିବାର ପକ୍ଷରୁ ଉଠାଯାଇଥିବା ପ୍ରତ୍ୟେକ ଅଭିଯୋଗ ଓ ସନ୍ଦେହକୁ ଆଧାର କରି ତଦନ୍ତ ଚାଲିଛି। ଯଦି ଓମ୍ଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ମିଳେ, ତେବେ ତାଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନିଆଯିବ।
ଏବେ ସମସ୍ତଙ୍କ ନଜର ସେହି ରହସ୍ୟମୟୀ ଡାଏରୀ ଓ ସୌମ୍ୟଙ୍କ ବାନ୍ଧବୀଙ୍କ ବୟାନ ଉପରେ। କାରଣ ଏହି ଦୁଇଟି ସୂତ୍ର ହିଁ ସୌମ୍ୟ ହତ୍ୟାକାଣ୍ଡର ପ୍ରକୃତ ସତ୍ୟ ସାମ୍ନାକୁ ଆଣିପାରେ।