ଭୁବନେଶ୍ୱର: ମିଶନ ଶକ୍ତି ମହିଳାଙ୍କୁ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ମିଶନ ଶକ୍ତିର ଦିଦିମାନେ କେବଳ ଉତ୍ପାଦନରେ ନୁହେଁ, ବରଂ ଟେକ୍ନୋଲୋଜି, ବ୍ୟବସାୟ ପରିଚାଳନା ଓ ବଜାରଜାତକରଣରେ ମଧ୍ୟ ପାରଦର୍ଶୀ ହେବେ। ଏଥିପାଇଁ ଓଡ଼ିଶା ଜୀବିକା ମିଶନ (OLM) ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।
ଭୁବନେଶ୍ୱରର ମିଶନ ଶକ୍ତି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିଲେ। ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଏବଂ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀପଦ କରମାକର ଏହି ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ସହଯୋଗ ମାଧ୍ୟମରେ ଆଗାମୀ ତିନି ବର୍ଷ ମଧ୍ୟରେ ରାଜ୍ୟର ୧୫୦ ଜଣ ଲକ୍ଷପତି ଦିଦିଙ୍କୁ କୋଟିପତି ଉଦ୍ୟୋଗୀରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି। ଆଇଆଇଟିର ପ୍ରଫେସର ଓ ବିଶେଷଜ୍ଞମାନେ ମହିଳାଙ୍କୁ ବ୍ୟବସାୟ ଯୋଜନା, ଉତ୍ପାଦର ମାନ ବୃଦ୍ଧି, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ଆର୍ଥିକ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷଣ ଦେବେ। ଏହା ସହିତ ଉଦ୍ୟମ ପଞ୍ଜୀକରଣ, ସର୍ଟିଫିକେସନ୍ ଓ ପେଟେଣ୍ଟ ପାଇବାରେ ମଧ୍ୟ ସହାୟତା କରିବେ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଏହି ପଦକ୍ଷେପ ମହିଳାଙ୍କୁ ସ୍ୱାବଲମ୍ବୀ ଓ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବ। ସେମାନଙ୍କ ଉତ୍ପାଦ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ପହଞ୍ଚିବାକୁ ଏହା ସହାୟକ ହେବ। ଏହି ଅବସରରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ଆସନ୍ତା ୩ରୁ ୪ ମାସ ମଧ୍ୟରେ କାଳିଜାଇରେ ଇଭି ବୋଟ୍ ଚଳାଚଳ ଆରମ୍ଭ ହେବ। ଚିଲିକା ଓ ଭିତରକନିକାର ବୋଟ୍ଗୁଡ଼ିକୁ ମଧ୍ୟ ପର୍ଯ୍ୟାୟକ୍ରମେ ଇଭି ଏବଂ ସୌରଚାଳିତ କରାଯିବ।
ସେହିପରି ଗ୍ରାମୀଣ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋମଷ୍ଟେ ବ୍ୟବସ୍ଥା କରାଯାଉଛି। ଏହା ମାଧ୍ୟମରେ ପର୍ଯ୍ୟଟକମାନେ ଗ୍ରାମୀଣ ଜୀବନଶୈଳୀ, ସ୍ଥାନୀୟ ଖାଦ୍ୟ ଓ ଆଦିବାସୀ ସଂସ୍କୃତିର ନିଆରା ଅନୁଭୂତି ପାଇପାରିବେ।