କନ୍ଧମାଳ: ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଗିରଫ ହୋଇଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କ ସମ୍ପତ୍ତିର ଖୋଳତାଡ଼ ଯେତିକି ଆଗକୁ ବଢୁଛି, ସେତିକି ଚମକପ୍ରଦ ତଥ୍ୟ ସାମ୍ନାକୁ ଆସୁଛି।
ରବିବାର ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ବୈକୁଣ୍ଠ ନାଥ ବେହେରାଙ୍କ ବିରୋଧରେ ଚାଲିଥିବା ତଦନ୍ତ ସମୟରେ ସୋମବାର ତାଙ୍କ ପଞ୍ଚମ ବ୍ୟାଙ୍କ ଲକର ଖୋଲାଯାଇଥିଲା। ସେଠାରୁ ୭୦୩ ଗ୍ରାମ ସୁନା ଅଳଙ୍କାର ଓ ୩୭୫ ଗ୍ରାମ ରୂପା ଅଳଙ୍କାର ଜବତ କରାଯାଇଛି। ଏହି ନୂଆ ଜବତ ପରେ ବେହେରାଙ୍କଠାରୁ ମୋଟ ୧.୨୫୫ କିଲୋଗ୍ରାମ ସୁନା ଜବତ ହୋଇଥିବା ସୂଚନା ମିଳିଛି।
ଭିଜିଲାନ୍ସ ତଦନ୍ତରେ ଆହୁରି ଜଣାପଡିଛି ଯେ, ବୈକୁଣ୍ଠ ବେହେରାଙ୍କ ନାମରେ ୨୦ ହଜାର ବର୍ଗଫୁଟରୁ ଅଧିକ କ୍ଷେତ୍ରଫଳ ବିଶିଷ୍ଟ ୫ଟି ବହୁତଳ କୋଠା ରହିଛି। ସେଥିମଧ୍ୟରୁ ୪ଟି ବିଳାସପୂର୍ଣ୍ଣ କୋଠା ଭୁବନେଶ୍ୱରରେ ଥିବା ଜଣାପଡିଛି। ଏହା ସହ ୧୪ଟି ମୂଲ୍ୟବାନ ପ୍ଲଟ୍, ୨ କୋଟି ୪ ଲକ୍ଷ ଟଙ୍କାରୁ ଅଧିକ ନଗଦ ରାଶି ଏବଂ ପ୍ରାୟ ୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଠାବ କରିଛି ଭିଜିଲାନ୍ସ। ସବୁଠାରୁ ବଡ଼ କଥା ହେଉଛି, ଏହି ସମ୍ପତ୍ତି ସମ୍ପର୍କରେ ବୈକୁଣ୍ଠ ବେହେରା ସନ୍ତୋଷଜନକ ଉତ୍ତର ଦେଇପାରି ନଥିବାରୁ ତାଙ୍କୁ ଗିରଫ କରାଯାଇଛି।
ଜଣେ ସରକାରୀ ଇଞ୍ଜିନିୟରଙ୍କ ନିକଟରୁ ଏତେ ପରିମାଣର ସୁନା, ନଗଦ ଟଙ୍କା ଓ ସମ୍ପତ୍ତି ଠାବ ହେବା ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଜିଲାନ୍ସ ଏବେ ଏହି ସମ୍ପତ୍ତିର ଉତ୍ସ ଏବଂ ଆହୁରି କୌଣସି ଗୁପ୍ତ ସମ୍ପତ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରଖିଛି।