ଅନୁଗୋଳ ଜିଲ୍ଲା ତାଳଚେରରେ ସୋମବାର ଏକ ହୃଦୟବିଦାରକ ଅଘଟଣ ଘଟିଛି। ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ୩ ଜଣ ସାଙ୍ଗ ନଦୀ ସୁଅରେ ଭାସିଯାଇଥିବା ବେଳେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ୨ ଜଣଙ୍କ ଖୋଜଖବର ଏପର୍ଯ୍ୟନ୍ତ ମିଳିନଥିବାରୁ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ସୂଚନା ଅନୁସାରେ, ତାଳଚେର ଜଗନ୍ନାଥ ମନ୍ଦିର ନିକଟସ୍ଥ ବ୍ରାହ୍ମଣୀ ନଦୀ ଘାଟକୁ ୩ ଜଣ ସାଙ୍ଗ ଗାଧୋଇବା ପାଇଁ ଯାଇଥିଲେ। ହେଲେ ଗାଧୋଉଥିବା ସମୟରେ ହଠାତ୍ ସେମାନେ ନଦୀର ଗଭୀର ସୁଅରେ ଫସି ଭାସିଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ତାଳଚେର ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟ ଖୋଜାଖୋଜି ପରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କ ସନ୍ଧାନରେ ଅପରେସନ୍ ଜାରି ରହିଛି। ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକଜଣକ ଗଣେଶ ଗୋଛାୟତ ହୋଇଥିବା ବେଳେ ନିଖୋଜ ଦୁଇଜଣ ଶକ୍ତି ସାହୁ ଓ ପ୍ରିନ୍ସ ଲୁହାର ହୋଇଥିବା ଜଣାପଡିଛି ।