ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପରେ ସୋମବାର ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବରେ ଇଣ୍ଡି ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏଥିରେ ୨୫ଟି ବିରୋଧି ଦଳ ସାମିଲ ହୋଇଛନ୍ତି । ବୈଠକରେ 5ଟି ବଡ଼ ନିଷ୍ପତ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଏବଂ ରଣନୀତି ପ୍ରସ୍ତୁତ କରାଯାଇଛି ।
ଆଜିର ବୈଠକରେ କଂଗ୍ରେସ ମୁଖ୍ୟ ଭୂମିକା ନିର୍ବାହ କରିଥିବାବେଳେ ସହଯୋଗୀ ଦଳ ଟିଏମସି, ସମାଜବାଦୀ ପାର୍ଟି, ନ୍ୟାସନାଲ କନଫରେନ୍ସର ନେତାମାନେ ସାମିଲ ହୋଇଥିଲେ । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି)ର ନିର୍ଦ୍ଦେଶରେ ଏହି ବୈଠକ ଡକାଯାଇଥିଲା। ସଭାରେ ଅଂଶଗ୍ରହଣ କରିଥିବା ବିରୋଧୀ ନେତାମାନଙ୍କ ମଧ୍ୟରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ମମତା ବାନାର୍ଜୀ, ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ, ଓମାର ଅବଦୁଲ୍ଲା ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ମୁଖ୍ୟ ମେହବୁବା ମୁଫତିଙ୍କ ସମେତ ବାମ ଦଳଗୁଡ଼ିକର ନେତାମାନେ ସାମିଲ ଅଛନ୍ତି। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଛନ୍ତି । ଇଣ୍ଡି ମେଣ୍ଟର ଆଗାମୀ କାର୍ଯ୍ୟପନ୍ଥା ନେଇ ରଣନୀତି ପ୍ରସ୍ତୁତ କରାଯାଇଛି । ଇଣ୍ଡି ମେଣ୍ଟ ୫ ବଡ଼ ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟତଃ ଏସଆଇଆର ଏବଂ ଭୋଟ୍ ଚୋରିକୁ ନେଇ ବିରୋଧୀ ନେତାମାନେ ଆଲୋଚନା କରିଛନ୍ତି । ବୈଠକରେ ବିରୋଧୀ ନେତାମାନେ ପ୍ରଧାନ ବିଚାରପତିଙ୍କ ଉଦ୍ଦେଶ୍ୟରେ ପତ୍ର ଲେଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଏସଆଇଆରର ସ୍ୱଚ୍ଛତା ସମ୍ବନ୍ଧରେ ସେମାନେ ଉଲ୍ଲେଖ କରିବେ । ଖୁବ୍ ଶୀଘ୍ର ପତ୍ରଙ୍କୁ ପ୍ରଧାନ ବିଚାରପତିଙ୍କୁ ପ୍ରଦାନ କରାଯିବ ।
ସେହିପରି ନିଟ୍ ଏବଂ ସିବିଏସଇ ପ୍ରସଙ୍ଗକୁ ବିରୋଧୀ ଦଳ ମୁଦ୍ଦା କରିଛନ୍ତି । ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଏହା ସହ ଦେଶର ଅର୍ଥନୈତିକ ସ୍ଥିତିକୁ ନେଇ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜ୍ଜୁନ ଖଡ଼ଗେ ଦାବି କରିଛନ୍ତି । ସେହିପରି ଇଣ୍ଡି ମେଣ୍ଟର ସମସ୍ତ ଦଳ ପ୍ରତି ଦୁଇ ମାସ ବ୍ୟବଧାନରେ ବୈଠକ କରିବେ । ଆଗାମୀ ବୈଠକ ଅଗଷ୍ଟ ମାସରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବ ।