ନୂଆଦିଲ୍ଲୀ: ନିଟ୍-ୟୁଜି (NEET-UG) ପରୀକ୍ଷାରେ ବିଭ୍ରାଟ ପରେ ସଜାଗ ହୋଇଯାଇଛନ୍ତି କେନ୍ଦ୍ର ସରକାର । ପରୀକ୍ଷାରେ ସ୍ୱଚ୍ଛତା ଆଣିବାକୁ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଲକଡାଉନରେ ରହିବେ ନିଟ୍ ପ୍ରଶ୍ନପତ୍ର ପ୍ରସ୍ତୁତକାରୀ । ଏହାର ଅର୍ଥ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ନିଟ୍ ପ୍ରଶ୍ନ ପ୍ରସ୍ତୁତକାରୀ ବାହ୍ୟ ଦୁନିଆ ସହିତ କୌଣସି ସମ୍ପର୍କରେ ରହିବେ ନାହିଁ ।
ପ୍ରଶ୍ନ ପତ୍ର ଲିକ୍ ହେବା ପରେ ଜୁନ ୨୧ ତାରିଖରେ ପୁନଃପରୀକ୍ଷା ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଲିକ୍ ହେବା ପରେ ସରକାରଙ୍କୁ ଅନେକ ସମାଲୋଚନାର ଶୀକାର ହେବାକୁ ପଡ଼ିଲା । ତ୍ରୁଟି ଶୂନ୍ୟ ପରୀକ୍ଷା କରିବାକୁ ସରକାର ସଜାଗ ହୋଇଛନ୍ତି । ନିଟ୍ ପ୍ରଶ୍ନପତ୍ର ପ୍ରସ୍ତୁତକାରୀ, ଅନୁବାଦକାରୀ ଏବଂ ସମସ୍ତ କର୍ମଚାରୀ ଲକଡାଉନ୍ରେ ରହିବେ । ବାହାର ଦୁନିଆ ସହିତ ସେମାନଙ୍କର କୌଣସି ସମ୍ପର୍କ ରହିବ ନାହିଁ । କୌଣସି କର୍ମଚାରୀ ମୋବାଇଲ୍ ଫୋନ୍, ଲାପଟପ୍, ସ୍ମାର୍ଟ ୱାଚ୍ ଠାରୁ ଆରମ୍ଭ କୌଣସି ଇଲେକଟ୍ରୋନିକ୍ ଡିଭାଇସ୍ ବ୍ୟବହାର କରିପାରିବେ ନାହିଁ । ସମସ୍ତ କର୍ମଚାରୀଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇଛି । ଜୁନ ୨୧ ତାରିଖ ଅର୍ଥାତ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କୁ ବାହାର ଦୁନିଆକୁ ଆସିବାକୁ ଅନୁମତି ମିଳିବ ନାହିଁ ।
ପରୀକ୍ଷାର ସୁରକ୍ଷା ପାଇଁ NEET ପେପର ପ୍ରସ୍ତୁତକାରୀଙ୍କୁ ଏଭଲି ପୃଥକୀକରଣ କରି ରଖାଯାଇଛି । ପ୍ରଶ୍ନପତ୍ର ପ୍ରସ୍ତୁତ, ନିୟନ୍ତ୍ରଣ, ଅନୁବାଦ, ମୁଦ୍ରଣ, ପ୍ୟାକେଜିଂ, ସଂରକ୍ଷଣ ଏବଂ ପରିବହନ ସମେତ ପ୍ରତ୍ୟେକ ପର୍ଯ୍ୟାୟରେ ସୁରକ୍ଷାକୁ ସୁଦୃଢ଼ କରାଯାଇଛି । ସମ୍ପୂର୍ଣ୍ଣ କାର୍ଯ୍ୟ ଶୃଙ୍ଖଳରେ କୌଣସି ବ୍ୟକ୍ତି ଯେପରି ପ୍ରବେଶ କରିପାରିବେ ନାହିଁ ତାହା ନିଶ୍ଚିତ କରିବା ପାଇଁ ଏହାକୁ ବିଭିନ୍ନ ଦଳ ମଧ୍ୟରେ ବିଭକ୍ତ କରାଯାଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନ ପ୍ରସ୍ତୁତ ହେବ ।
ସେହିପରି ପ୍ରଶ୍ନ ପ୍ରସ୍ତୁତାକାରୀଙ୍କ ଠାରୁ ଆରମ୍ଭ ସମସ୍ତ କର୍ମଚାରୀଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ କଡ଼ା ଯାଞ୍ଚ କରାଯିବ । କେବଳ ଅଧିକୃତ ଅଧିକାରୀ ସେହି ସ୍ଥାନକୁ ପରିଚାଳନା କରିପାରିବେ ।