ପୁରୀ: କାଳିଆ ଦୁଆରୁ ଚୋରି । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପରି ପୂଣ୍ୟ ଅର୍ଜନ କରିବା ବଦଳରେ ପାପ କରିବା ହେଲା କାଳ । ସୋମବାର ଶ୍ରୀମନ୍ଦିର ପରିସରରେ ଜଣେ ବ୍ୟକ୍ତି ଜଣେ ଭକ୍ତଙ୍କ ଠାରୁ ସୁନା ଚେନ୍ ଚୋରି ଧରାପଡ଼ିଛନ୍ତି । ଅଭିଯୁକ୍ତ ଦୀପକ ଯାଦବଙ୍କୁ ଗିରଫ କରାଯାଇଛି।
ଆଜି ସକାଳ ଜଣେ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସିଥିଲେ । କିନ୍ତୁ ଭିଡ଼ ଦେଖି ଜଣେ ବ୍ୟକ୍ତି ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ । ଏ ନେଇ ଜନୈକ ଭକ୍ତ ଜଣକ ଶ୍ରୀମନ୍ଦିର ଥାନା ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ପୁରୀ ପୋଲିସର ସାଧା ପୋଷାକଧାରୀ Anti-Snatching Team ତୁରନ୍ତ ଆକ୍ସନକୁ ଆସିଥିଲେ । ଏହା ପରେ ପୋଲିସ ଦୀପକ ଯାଦବ ନାମକ ଜଣେ ବ୍ୟକ୍ତିଙ୍କୁ କାବୁ କରିଥିଲେ । ତଲାସି ସମୟରେ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୩୫ ଗ୍ରାମ ଓଜନର ଚୋରି ହୋଇଥିବା ସୁନା ଚେନ୍ ଉଦ୍ଧାର କରାଯାଇଥିଲା।
ଏହି ସମ୍ପର୍କରେ ସିଂହଦ୍ୱାର ଥାନା କେସ୍ ନଂ-୧୩୯/୨୬, ଧାରା ୩୦୯(୬) ବିଏନ୍ଏସ୍ ରୁଜୁ କରାଯାଇଛି। ଅଭିଯୁକ୍ତ ଦୀପକ ଯାଦବଙ୍କୁ ଗିରଫ କରାଯାଇଛି। ଉଦ୍ଧାର ହୋଇଥିବା ସୁନା ଚେନ୍କୁ ଆଇନ ଅନୁସାରେ ଜିମାନାମା କାର୍ଯ୍ୟ ସମ୍ପାଦନ କରି ଅଭିଯୋଗକାରୀଙ୍କ ଜିମାରେ ପ୍ରଦାନ କରାଯାଇଛି।