କୋଲକାତା: ପଶ୍ଚିମବଙ୍ଗ ରାଜନୀତିରୁ ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଇଁ ଆସିଛି ଏକ ବଡ଼ ଦୁଃଖଦ ଖବର। ଦଳ ମଧ୍ୟରେ ଚାଲିଥିବା ଅନ୍ତର୍ଦ୍ବନ୍ଦ୍ବ ଏବେ ପଦାରେ ପଡ଼ିଛି। ମମତାଙ୍କ ଗଡ଼ କୁହାଯାଉଥିବା ବେଙ୍ଗଲରେ ଦିଦିଙ୍କୁ ଗୋଟିଏ ଦିନରେ ଦୁଇ ଦୁଇଟି ଶକ୍ତ ଧକ୍କା ଲାଗିଛି। ପ୍ରଥମେ ଦଳର ବରିଷ୍ଠ ସାଂସଦ ସୁଖେନ୍ଦୁ ଶେଖର ରାୟ ରାଜ୍ୟସଭା ଏବଂ ଦଳରୁ ଇସ୍ତଫା ଦେଇଥିବା ବେଳେ ଅନ୍ୟପଟେ ଦଳର ବାହୁବଳୀ ତଥା ଫାୟାରବ୍ରାଣ୍ଡ ନେତା ଜାହାଙ୍ଗୀର ଖାନଙ୍କୁ ପୋଲିସ ଗିରଫ କରିଛି।
ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଟିଏମସି ଭିତରେ ଏବେ ବିଦ୍ରୋହର ନିଆଁ ଜଳୁଛି। ପୂର୍ବରୁ ଋତବ୍ରତ ବାନାର୍ଜୀ ଦଳର ଅଧାରୁ ଅଧିକ ବିଧାୟକଙ୍କୁ ନିଜ ସପକ୍ଷକୁ ନେଇ ମମତାଙ୍କ ଅଡ଼ୁଆ ବଢ଼ାଇଥିବା ବେଳେ, ଏବେ ଜଣକ ପରେ ଜଣେ ପ୍ରଭାବଶାଳୀ ନେତା ଦଳ ଛାଡ଼ିବା ଆରମ୍ଭ କଲେଣି।
ଚାରି ଦିନ ପୂର୍ବରୁ ସୁଖେନ୍ଦୁ ଦେଇଥିଲେ ସଙ୍କେତ
ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ ଦଳ ଛାଡ଼ିବା ନେଇ ୪ ଦିନ ପୂର୍ବରୁ ହିଁ ସୂଚନା ଦେଇଥିଲେ। ଗତ ଜୁନ୍ ୪ ତାରିଖରେ ସେ ଏକ ବଡ଼ ଦାବି କରି କହିଥିଲେ ଯେ, ଟିଏମସିର ଅନେକ ଲୋକସଭା ଏବଂ ରାଜ୍ୟସଭା ସାଂସଦ ଦଳୀୟ ନେତୃତ୍ୱ ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ସେମାନେ ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି। ସୁଖେନ୍ଦୁ ପୂର୍ବରୁ ଦଳକୁ ବାଏ ବାଏ କହିଛନ୍ତି। ବିରୋଧୀ ଦଳ ନେତାଙ୍କ କାର୍ଯ୍ୟକଳାପକୁ ନେଇ ଦଳ ଭିତରେ ତୀବ୍ର ଅସନ୍ତୋଷ ରହିଥିବା ସେ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ଆଗାମୀ ଦିନରେ ଆହୁରି ଅନେକ ସାଂସଦ ମମତାଙ୍କ ହାତ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।
ନେପାଳ ସୀମାରୁ ଗିରଫ ହେଲେ ବାହୁବଳୀ ଜାହାଙ୍ଗୀର ଖାନ
ଅନ୍ୟପଟେ ଦଳର ଚର୍ଚ୍ଚିତ ନେତା ଜାହାଙ୍ଗୀର ଖାନଙ୍କୁ ପୋଲିସ ଗିରଫ କରିଛି। ଜବରଦସ୍ତ ଚାନ୍ଦା ଆଦାୟ ବା ଦାଦାବଟି ମାଗିବା ଅଭିଯୋଗରେ ଉତ୍ତର ବଙ୍ଗଳାର ଭାରତ-ନେପାଳ ସୀମାନ୍ତରୁ ତାଙ୍କୁ କାବୁ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ମେ' ୨୬ ତାରିଖରେ କଲିକତା ହାଇକୋର୍ଟ ଜାହାଙ୍ଗୀରଙ୍କ ଗିରଫଦାରୀ ଉପରେ ଲଗାଇଥିବା ଅନ୍ତରୀଣ ସୁରକ୍ଷା ଅବଧିକୁ ପ୍ରତ୍ୟାହାର କରିନେଇଥିଲେ। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଫାଲଟା ଥାନାରେ ଜାହାଙ୍ଗୀରଙ୍କ ବିରୋଧରେ ପୂର୍ବରୁ ୭ଟି ମାମଲା ରହିଛି। ପୋଲିସର କହିବା ଅନୁଯାୟୀ, ଗିରଫଦାରୀ ଏଡ଼ାଇବା ପାଇଁ ସେ ନେପାଳ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଧରାଯାଇଛି।