ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ‘କକରୋଚ୍ ଜନତା ପାର୍ଟି’କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ, ଏବେ ଭାରତୀୟ ଡିଜିଟାଲ୍ ରାଜନୀତିରେ ଏକ ନୂଆ ଏଣ୍ଟ୍ରି ହୋଇଛି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ମାର୍କଣ୍ଡେୟ କାଟଜୁ ଏକ ନୂତନ ଡିଜିଟାଲ୍ ସଂଗଠନ ଗଠନ କରିଛନ୍ତି, ଯାହାର ନାଁ ରଖାଯାଇଛି ‘ଇସ୍କ କରୋ ପାର୍ଟି’।
ନିଜର ବିବାଦୀୟ ତଥା ରୋଚକ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଜଷ୍ଟିସ୍ କାଟଜୁ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏହି ସୂଚନା ଦେଇଛନ୍ତି। ଯେଉଁ ଯୁବକମାନେ ଏହି ଅଭିଯାନରେ ସାମିଲ ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ଏକ ସ୍ୱତନ୍ତ୍ର ଇମେଲ୍ ଆଇଡି ମଧ୍ୟ ଜାରି କରାଯାଇଛି। କାଟଜୁଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ମିମ୍ସର ସୂଅ ଛୁଟିବାରେ ଲାଗିଛି ।
ଅନେକ ଲୋକ ‘ଇସ୍କ କରୋ ପାର୍ଟି’ ନାଁ ଶୁଣି ଏହାକୁ ଏକ ମଜାକ୍ କିମ୍ବା କୌଣସି ‘ଭାଲେଣ୍ଟାଇନ୍ସ ଡେ’ ଭଳି ପ୍ରେମୀଯୁଗଳଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଭାବୁଛନ୍ତି। ମାତ୍ର ଜଷ୍ଟିସ୍ କାଟଜୁ ସ୍ପଷ୍ଟ କରିଛନ୍ତି ଯେ, ଏହା କୌଣସି ପ୍ରହସନ ନୁହେଁ। ସେ ନିଜ ପୋଷ୍ଟରେ ଲେଖିଛନ୍ତି କିଛି ଲୋକ ଭାବୁଛନ୍ତି ଏହା କେବଳ ପୁଅ-ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ାଇବା ପାଇଁ ଏକ ମାଧ୍ୟମ, କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍। ପ୍ରକୃତରେ ଏହା ଭାରତ ଆଗରେ ଥିବା ବଡ଼ ବଡ଼ ସମସ୍ୟା ଯେପରିକି ଦାରିଦ୍ର୍ୟ, ବେକାରୀ, ଶିଶୁ କୁପୋଷଣ, ମହଙ୍ଗା ମାଡ଼, ଏବଂ ଜାତି-ଧର୍ମଗତ ବିଦ୍ୱେଷ ବିରୋଧରେ ଏକ ଗମ୍ଭୀର ଲଢ଼େଇ।
ତାଙ୍କ କହିବା ଅନୁଯାୟୀ, ଆଜିର ସ୍ୱାର୍ଥପର ରାଜନେତାମାନେ ନିଜର ଭୋଟ୍ ବ୍ୟାଙ୍କ ପାଇଁ ସମାଜକୁ ଭାଗ ଭାଗ କରୁଛନ୍ତି। ଏହି ସମସ୍ୟାର ସମାଧାନ କେବଳ ପରସ୍ପର ମଧ୍ୟରେ ଭଲପାଇବା ଏବଂ ଏକତା ଦ୍ୱାରା ହିଁ ସମ୍ଭବ।
'କକରୋଚ୍ ଜନତା ପାର୍ଟି'ର ନୂଆ ପ୍ରତିଦ୍ୱନ୍ଦ୍ୱୀ ?
ନିକଟରେ ଦେଶର ବେକାର ଯୁବପିଢ଼ି ଏବଂ ପ୍ରଶ୍ନପତ୍ର ଲିକ୍ ଭଳି ସମସ୍ୟାକୁ ନେଇ ସୋସିଆଲ ମିଡିଆରେ ଅଭିଜିତ ଦୀପକେଙ୍କ ନେତୃତ୍ୱରେ ‘କକରୋଚ୍ ଜନତା ପାର୍ଟି’ ବେଶ୍ ଭାଇରାଲ ହୋଇଥିଲା। ସେହି ସମୟରେ ଜଷ୍ଟିସ୍ କାଟଜୁ ମଧ୍ୟ ବ୍ୟଙ୍ଗାତ୍ମକ ଶୈଳୀରେ କକରୋଚ୍ ପାର୍ଟିର ଚର୍ଚ୍ଚା କରିଥିଲେ।ଏବେ କାଟଜୁ ନିଜେ ‘ଇସ୍କ କରୋ ପାର୍ଟି’ ଆଣିବା ପରେ ୟୁଜର୍ସମାନେ ଏହାକୁ ‘କକରୋଚ୍ ପାର୍ଟି’ର ନୂଆ ପ୍ରତିଦ୍ୱନ୍ଦ୍ୱୀ ବୋଲି କହୁଛନ୍ତି।