ପାଟନା: ବିହାରର ରାଜଧାନୀ ପାଟନାରେ ପ୍ରସିଦ୍ଧ କୋଚିଂ ସଂସ୍ଥାଗୁଡ଼ିକ ମଧ୍ୟରେ ଚାଲିଥିବା ହିଂସାକାଣ୍ଡ ଏବେ ଆଇନଗତ ରୂପ ନେଇଛି। ସୋମବାର ପାଟନା କୋର୍ଟର ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଅନୁରାଗ ବର୍ମାଙ୍କ ଅଦାଲତରେ ଏହି ହାଇପ୍ରୋଫାଇଲ୍ ମାମଲାର ଶୁଣାଣି ହୋଇଛି। ଶୁଣାଣି ବେଳେ ପ୍ରସିଦ୍ଧ ‘ଜ୍ଞାନ ବିନ୍ଦୁ ଜିଏସ୍ ଏକାଡେମୀ’ର ନିର୍ଦ୍ଦେଶକ ରୌଶନ ଆନନ୍ଦଙ୍କ ନିୟମିତ ଜାମିନ ଆବେଦନ ଉପରେ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଛନ୍ତି।
ଅନ୍ୟପଟେ, ଦେଶର ଲୋକପ୍ରିୟ ଶିକ୍ଷକ ‘ଖାନ୍ ସାର୍’ଙ୍କ ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟ୍ ସହ ଜଡ଼ିତ ମାମଲାରେ ଗିରଫ ହୋଇଥିବା ଦୁଇଜଣ ବଡ଼ିଗାର୍ଡଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି କୋର୍ଟ ପୋଲିସକୁ କେସ୍ ଡାଏରୀ ଏବଂ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରୌଶନ ଆନନ୍ଦଙ୍କ ଜାମିନ ଉପରେ କୋର୍ଟଙ୍କ ଆଦେଶ ସଂରକ୍ଷିତ
ଅଦାଲତରେ ଉଭୟ ପକ୍ଷର ଓକିଲ ନିଜ ନିଜର ପକ୍ଷ ରଖିଥିଲେ। ରୌଶନ ଆନନ୍ଦଙ୍କ ତରଫରୁ ନିୟମିତ ଜାମିନ ପାଇଁ ଜୋରଦାର ଯୁକ୍ତି କରାଯାଇଥିବା ବେଳେ, ସରକାରୀ ପକ୍ଷ ମାମଲାର ଗମ୍ଭୀରତାକୁ ଦର୍ଶାଇ ଜାମିନକୁ ବିରୋଧ କରିଥିଲେ। ଦୀର୍ଘ ସମୟର ବିତର୍କ ପରେ ମାଜିଷ୍ଟ୍ରେଟ୍ ଆଦେଶ ସଂରକ୍ଷିତ ରଖିବା ସହ ପରବର୍ତ୍ତୀ ସମୟରେ ଏହାର ନିଷ୍ପତ୍ତି ଶୁଣାଯିବ ବୋଲି କହିଛନ୍ତି। ବଡ଼ିଗାର୍ଡଙ୍କ ମାମଲାରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ତଦନ୍ତର ପ୍ରକୃତ ତଥ୍ୟ ନଦେଖି ଜାମିନ ଦେବା ସମ୍ଭବ ନୁହେଁ, ତେଣୁ ପୋଲିସ ତୁରନ୍ତ ସମସ୍ତ ଦସ୍ତାବିଜ ହାଜର କରୁ।
ମଙ୍ଗଳବାର ଖାନ୍ ସାର୍ଙ୍କ ଅଗ୍ରୀମ ଜାମିନ ଆବେଦନ ଉପରେ ଶୁଣାଣି !
ପୋଲିସ ଗିରଫଦାରୀ ଭୟରେ ‘ଖାନ୍ ସାର୍’ ଭାବେ ପରିଚିତ ଫୈସଲ ଖାନ୍ ପାଟନା ସିଭିଲ୍ କୋର୍ଟରେ ଅଗ୍ରୀମ ଜାମିନ ପାଇଁ ଆବେଦନ କରିଛନ୍ତି। ମଙ୍ଗଳବାର ଏହି ଆବେଦନ ଉପରେ ଶୁଣାଣି ହେବାର ସମ୍ଭାବନା ରହିଛି। ଖାନ୍ ସାର୍ଙ୍କ ଓକିଲ ଅରବିନ୍ଦ କୁମାର ମୌର୍ଯ୍ୟ କହିଛନ୍ତି ଯେ, ଆଇନଗତ ପ୍ରକ୍ରିୟା ଜାରି ରହିଛି ଏବଂ କୋର୍ଟଙ୍କ ଆଗରେ ସମସ୍ତ ସତ୍ୟ ଉପସ୍ଥାପନ କରାଯିବ। ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ପୋଲିସ ଖାନ୍ ସାର୍ଙ୍କ କୋଚିଂ ସେଣ୍ଟର ସମେତ ଅନେକ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ସେ ପୋଲିସ ହାତରେ ଲାଗିନାହାନ୍ତି।
Also Read: ଆରମ୍ଭ ହେଲା ଇଣ୍ଡି ମେଣ୍ଟ ବୈଠକ, ସୋନିଆ, ମମତାଙ୍କଠୁ ନେଇ ତେଜସ୍ୱୀ ସମେତ ଏସବୁ ନେତା ହେଲେ ସାମିଲ୍