ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କୁ ହରାଇଛନ୍ତି ଆର୍. ପ୍ରଜ୍ଞାନନ୍ଦ । ଆଜି ତାମିଲନାଡ଼ୁ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀ ଥିରୁ ଏସ୍. ଯୋଶେଫ ବିଜୟଙ୍କୁ ଭେଟିବା ଅବସରରେ ଚେସରେ ଚେକ୍ ମେଟ୍ ଦେଇଛନ୍ତି ଗ୍ରାଣ୍ଟମାଷ୍ଟର୍ ଆର୍. ପ୍ରଜ୍ଞାନନ୍ଦ ।
ପ୍ରଥମ ଭାରତୀୟ ଭାବେ ‘ନରୱେ ଚେସ୍’ ଟାଇଟଲ୍ ହାସଲ କରିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ପ୍ରଜ୍ଞାନନ୍ଦ । ମୁଖ୍ୟମନ୍ତ୍ରୀ ବିଜୟ ତାଙ୍କୁ ସମ୍ବର୍ଦ୍ଧନା କରିଛନ୍ତି । ଏହା ସହିତ ପ୍ରଜ୍ଞାନନ୍ଦଙ୍କୁ ୫୦ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ କିଛି ବାର୍ତ୍ତାଳାପ ହୋଇଥିଲା । ଉଭୟ ଚେସ୍ ମଧ୍ୟ ଖେଳିଥିଲେ । ଯେଉଁଥିରେ ପ୍ରଜ୍ଞାନନ୍ଦ ବିଜୟଙ୍କୁ ଚେକ୍ ମେଟ୍ ଦେଇଥିଲେ ।
ଗତ ଶନିବାର ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍. ପ୍ରଜ୍ଞାନନ୍ଦ ଚେସ୍ ଦୁନିଆରେ ଇତିହାସ ସୃଷ୍ଟି କରିଥିଲେ । ସେ ପ୍ରଥମ ଭାରତୀୟ ଭାବେ ‘ନରୱେ ଚେସ୍’ ଟାଇଟଲ୍ ହାସଲ କରିଛନ୍ତି । ଶେଷ ରାଉଣ୍ଡର ଜର୍ମାନୀର ଭିନସେଣ୍ଟ କେମରଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି । ୨୦୧୩ ମସିହାଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ କୌଣସି ଭାରତୀୟ ଏହି ସଫଳତା ହାସଲ କରିନଥିଲେ । ବିଶ୍ୱ ବିଜେତା ଡି. ଗୁକେଶ କାର୍ଲସେନଙ୍କଠାରୁ ହାରି ପଞ୍ଚମ ସ୍ଥାନରେ ରହିଥିଲେ ।