ପୁରୀ: କାଳବୈଶାଖୀର ପ୍ରଚଣ୍ଡ ତାଣ୍ଡବ ମଧ୍ୟରେ ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ମୟୂରଭଞ୍ଜ ଗସ୍ତ ଶେଷ କରି ରାଜଧାନୀ ଭୁବନେଶ୍ୱର ଫେରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହେଲିକପ୍ଟର ଝଡ଼ ଓ ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରରେ ଅବତରଣ କରିପାରି ନଥିଲା। ପରିସ୍ଥିତି ଗମ୍ଭୀର ହେବାରୁ ପାଇଲଟ୍ ଶେଷ ମୁହୂର୍ତ୍ତରେ ହେଲିକପ୍ଟରକୁ ପୁରୀ ଅଭିମୁଖେ ଡାଇଭର୍ଟ କରିଥିଲେ ଏବଂ ସେଠାରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରାଇଥିଲେ।
ସୂଚନା ଅନୁଯାୟୀ, ଚପର୍ଟି ଭୁବନେଶ୍ୱର ଆକାଶମାର୍ଗ ନିକଟରେ ପହଞ୍ଚିବା ବେଳକୁ ହଠାତ୍ ପାଗର ମିଜାଜ ବଦଳି ଯାଇଥିଲା। କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ପ୍ରବଳ ପବନ, ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା। ଦୃଶ୍ୟମାନତା ପ୍ରାୟ ଶୂନ୍ୟ ହୋଇଯିବାରୁ ରନୱେ ଚିହ୍ନଟ କରିବା ସମ୍ଭବ ହୋଇନଥିଲା। ଏଭଳି ପରିସ୍ଥିତିରେ ବିପଦକୁ ଆଗୁଆ ଆକଳନ କରି ପାଇଲଟ୍ ସୁରକ୍ଷାକୁ ପ୍ରାଥମିକତା ଦେଇ ଭୁବନେଶ୍ୱରରେ ଲ୍ୟାଣ୍ଡିଂ ବାତିଲ କରିଥିଲେ।
ଏୟାର ଟ୍ରାଫିକ କଣ୍ଟ୍ରୋଲ୍ (ATC) ସହ ଆଲୋଚନା ପରେ ହେଲିକପ୍ଟରକୁ ପୁରୀକୁ ଡାଇଭର୍ଟ କରାଯାଇଥିଲା। ସେଠାରେ ସମଙ୍ଗ ଅସ୍ଥାୟୀ ବସ୍ଷ୍ଟାଣ୍ଡ ନିକଟ ହେଲିପ୍ୟାଡରେ ଚପର୍ ସଫଳତାର ସହ ଅବତରଣ କରିଥିଲା। ଏହି ଘଟଣା ପରେ କିଛି ସମୟ ପାଇଁ ଚିନ୍ତାର ପରିବେଶ ସୃଷ୍ଟି ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ, ପାଇଲଟ୍ ଓ ହେଲିକପ୍ଟରରେ ଥିବା ଅନ୍ୟ ସମସ୍ତ ସଦସ୍ୟ ସୁରକ୍ଷିତ ଥିବା ସରକାରୀ ସୂତ୍ର ସ୍ପଷ୍ଟ କରିଛି।
ଅନ୍ୟପଟେ ଭୁବନେଶ୍ୱରରେ ପ୍ରବଳ ବର୍ଷା ତାତିରୁ ଲୋକଙ୍କୁ ଆଶ୍ୱସ୍ତି ଦେଇଥିବା ବେଳେ ଯାଜପୁର ସମେତ ଅନେକ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିଛି। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ସହ ଚାଳଛପର ଉଡ଼ିଯାଇଛି। ମୌସୁମୀ ଆଗମନ ପୂର୍ବରୁ ରାଜ୍ୟରେ କାଳବୈଶାଖୀର ଏହି ପ୍ରକୋପ ଆଗାମୀ କିଛି ଦିନ ଯାଏଁ ଜାରି ରହିପାରେ ବୋଲି ପାଣିପାଗ ବିଭାଗ ସତର୍କ କରିଛି।