ଭୁବନେଶ୍ୱର: ଏପଟେ ଅସହ୍ୟ ଗରମ ସେପଟେ ଅପରାହ୍ଣ ହେବା ମାତ୍ରେ ତାଣ୍ଡବ କରୁଛି କାଳବୈଶାଖୀ। ଗତ କିଛି ଦିନ ଧରି ରାଜ୍ୟର ଅନେକ ସ୍ଥାନ ସହ କଟକ-ଭୁବନେଶ୍ୱରରେ କାଳବୈଶାଖୀ ବର୍ଷାରେ ଗଛ ଉପୁଡି ପ୍ରବଳ ବର୍ଷା,ପବନ ସହ ବଜ୍ରପାତ ହେଉଛି। ଲଗାତାର ତୃତୀୟ ଦିନ ସହ ଆଜି ବି ଟ୍ୱିନ ସିଟିରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଆଜି (ସୋମବାର) ଅପରାହ୍ନରେ କଟକ, ଭୁବନେଶ୍ୱର, ପୁରୀରେ ଆକାଶ ମେଘାଚ୍ଛନ ହୋଇଯାଇଥିଲା। କିଛି ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ପବନ ହୋଇଥିଲା।
ଆଜି ଅପରାହ୍ନରୁ ପାଗରେ ହଠାତ୍ ପରିବର୍ତ୍ତନ ଦେଖାଯାଇଥିଲା। ପ୍ରବଳ ପବନ ବହିବା ସହ ଅନେକ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ମାରିବା ସହ ବର୍ଷା ଆରମ୍ଭ ହୋଇଥିଲା। ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ସହିଦନଗର, ୟୁନିଟ୍-୪, ପଟିଆ ଓ ଖଣ୍ଡଗିରି ଅଞ୍ଚଳରେ ବର୍ଷା ହୋଇଥିବା ବେଳେ କଟକ ସହରର ବିଭିନ୍ନ ଅଞ୍ଚଳରେ ମଧ୍ୟ କାଳବୈଶାଖୀର ପ୍ରଭାବ ଅନୁଭୂତ ହୋଇଥିଲା।
ବର୍ଷା ପବନ ହେବା ନେଇ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ସନ୍ଧ୍ୟା ୬ଟା ୪୩ ମିନିଟ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ବର୍ଷା ଯୋଗୁ ଗରମ ଓ ଗୁଳୁଗୁଳିରୁ ଲୋକେ ଆଶ୍ୱସ୍ତି ପାଇଥିଲେ। ତେବେ କେତେକ ସ୍ଥାନରେ ପ୍ରବଳ ପବନ ଯୋଗୁ ଯାତାୟାତ ପ୍ରଭାବିତ ହୋଇଥିବା ଏବଂ ରାସ୍ତାରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଜିଲ୍ଲାର କିଛି ସ୍ଥାନରେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି। ଏଥିସହ କୁଆପଥର ବର୍ଷା ଓ ଘନଘନ ବିଜୁଳି ମାରିବାର ସମ୍ଭାବନା ମଧ୍ୟ ରହିଛି।
ଏଭଳି ପରିସ୍ଥିତିରେ ଲୋକଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ଓ ବଜ୍ରପାତ ସମୟରେ ଗଛ ତଳେ ଆଶ୍ରୟ ନନେବା, ବିଦ୍ୟୁତ୍ ଖୁଣ୍ଟ ଓ ଦୁର୍ବଳ ଘରଠାରୁ ଦୂରେ ରହିବାକୁ କୁହାଯାଇଛି। ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ସଜାଗ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।