ଭୁବନେଶ୍ୱର: ରାଜ୍ୟର ହଜାର ହଜାର ଭତ୍ତାଭୋଗୀଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତିର ଖବର। ଗତ କିଛି ଦିନ ଧରି ଭତ୍ତା ବଣ୍ଟନରେ ବିଳମ୍ବ ଓ ବିଭିନ୍ନ ଟେକ୍ନିକାଲ ସମସ୍ୟାକୁ ନେଇ ଚିନ୍ତାରେ ଥିବା ହିତାଧିକାରୀଙ୍କୁ ସରକାର ପକ୍ଷରୁ ସକାରାତ୍ମକ ସନ୍ଦେଶ ମିଳିଛି। ସମାଜିକ ସୁରକ୍ଷା ଯୋଜନାର ଭତ୍ତା ବଣ୍ଟନରେ ଦେଖାଦେଇଥିବା ସମସ୍ୟା ଖୁବଶୀଘ୍ର ଦୂର ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ମନ୍ତ୍ରୀଙ୍କ କହିବା ଅନୁସାରେ, ଏହି ସମସ୍ୟା କେବଳ ଓଡ଼ିଶାରେ ସୀମିତ ନୁହେଁ। ଦେଶର ଅନେକ ରାଜ୍ୟରେ ମଧ୍ୟ ସମାନ ପ୍ରକାରର ସଫ୍ଟୱେର ଜନିତ ଅସୁବିଧା ଦେଖାଦେଇଛି। ଭତ୍ତା ବ୍ୟବସ୍ଥା ସହ ଜଡିତ ସଫ୍ଟୱେରରେ ଆବଶ୍ୟକ ପରିବର୍ତ୍ତନ ଓ ଉନ୍ନତିକରଣ କାମ ଜୋରଦାର ଭାବେ ଚାଲିଥିବା ବେଳେ ଏହା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ସରକାରଙ୍କ ଆକଳନ ଅନୁଯାୟୀ, ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ ଟେକ୍ନିକାଲ ସମସ୍ୟାର ସମାଧାନ ହୋଇଯିବ। ଏହା ପରେ ଯେଉଁ ହିତାଧିକାରୀମାନେ ସଫ୍ଟୱେର ତ୍ରୁଟି ଯୋଗୁଁ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କୁ ଏକକାଳୀନ ଭାବେ ସମସ୍ତ ବକେୟା ରାଶି ପ୍ରଦାନ କରାଯିବ। ଫଳରେ ମାସ ମାସ ଧରି ଭତ୍ତାକୁ ଅପେକ୍ଷା କରିଥିବା ବୃଦ୍ଧ, ଦିବ୍ୟାଙ୍ଗ, ବିଧବା ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି।