ଭୁବନେଶ୍ୱର: ଡେଲିଭରି ବୟଙ୍କୁ ଛୁରାମାଡ଼ କରି ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ଖଣ୍ଡଗିରି ଥାନା ପୁଲିସ। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରାହୁଲ ବେହେରାକୁ ଗିରଫ କରାଯାଇଥିବାବେଳେ ତାଙ୍କର ଆଉ ଦୁଇ ସହଯୋଗୀ ଏବେବି ଫେରାର ଅଛନ୍ତି। ପୁଲିସ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି।
ସୂଚନା ଅନୁସାରେ, ତାପସ କୁମାର ବେହେରା ଏକ ଅନ୍ଲାଇନ ଡେଲିଭରି ସଂସ୍ଥାରେ ଡେଲିଭରି ପାର୍ଟନର ଭାବେ କାର୍ଯ୍ୟ କରନ୍ତି। ଗତ ୪ ତାରିଖ ବିଳମ୍ବିତ ରାତିରେ ସେ ଜାଗମରାରୁ ଗଣ୍ଡମୁଣ୍ଡା ଅଭିମୁଖେ ଏକ ଅନ୍ଲାଇନ ଅର୍ଡର ପହଞ୍ଚାଇବାକୁ ଯାଉଥିଲେ। ତେବେ ଗଣ୍ଡମୁଣ୍ଡା ସ୍ଥିତ ରିଲାଏନ୍ସ ଷ୍ଟୋର ନିକଟରେ ଏକ ମୋଟରସାଇକଲରେ ଆସିଥିବା ୩ ଜଣ ଦୁର୍ବୃତ୍ତ ତାଙ୍କ ରାସ୍ତା ଅଟକାଇଥିଲେ।
ଲୁଟ୍ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ତାପସଙ୍କ ଉପରେ ଆକ୍ରମଣ କରିଥିଲେ। ଛୁରାମାଡ଼ କରି ତାଙ୍କଠାରୁ ମୋବାଇଲ ଫୋନ ଓ ପ୍ରାୟ ୨ ହଜାର ଟଙ୍କା ଲୁଟି ନେଇଥିଲେ। ରକ୍ତାକ୍ତ ଅବସ୍ଥାରେ ତାପସଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।
ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ପୁଲିସ ଅଭିଯୁକ୍ତମାନଙ୍କ ପରିଚୟ ଠାବ କରିଥିଲା। ଶନିବାର ମୁଖ୍ୟ ଅଭିଯୁକ୍ତ ରାହୁଲ ବେହେରାକୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ ଏବଂ ୧୨୦୦ ଟଙ୍କା ଜବତ କରାଯାଇଛି।
ତେବେ ଏହି ଲୁଟ୍କାଣ୍ଡରେ ସାମିଲ ଅନ୍ୟ ଦୁଇ ଅଭିଯୁକ୍ତ ଏବେବି ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସର ସ୍ୱତନ୍ତ୍ର ଟିମ୍ ଚଢ଼ାଉ ଜାରି ରଖିଛି। ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଅଧିକ ପଢନ୍ତୁ: ରାଜଧାନୀରେ ଲୁଟେରାଙ୍କ ଉତ୍ପାତ; ଡେଲିଭେରୀ ସାରି ଫେରୁଥିଲେ, ରାସ୍ତାରେ ଘେରି ହାଣି ଲୁଟିନେଲେ ଦୁର୍ବୃତ୍ତ