କେନ୍ଦ୍ରାପଡା ଜିଲ୍ଲାରେ ଚାଞ୍ଚଲ୍ୟ। ରାସ୍ତାକଡରୁ ଜଣେ ଅଗ୍ନିଶମ କର୍ମଚାରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଡେରାବିଶ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ନିକଟରେ ଏହି ଘଟଣା ସାମ୍ନାକୁ ଆସିଛି।
ମୃତକ ହେଲେ କେନ୍ଦ୍ରାପଡା ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଶଶି ଶେଖର ପଣ୍ଡା। ସେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଧୀନ ସାଦେଇପୁର ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ସକାଳେ ସ୍ଥାନୀୟ ଲୋକେ ରାସ୍ତା କଡରେ ଜଣେ ବ୍ୟକ୍ତିଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଡେରାବିଶ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତଦେହ ନିକଟରୁ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି। ଶଶିଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ସହ ଅତ୍ୟଧିକ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି।
ତେବେ ଏହା ସଡ଼କ ଦୁର୍ଘଟଣା, ନା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ସେନେଇ ସସପେନ୍ସ ଜାରି ରହିଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି।