ଭୁବନେଶ୍ୱର: ରଜ ପର୍ବ ପୂର୍ବରୁ ଓଡ଼ିଶାବାସୀଙ୍କ ପାଇଁ ଆସିଛି ଖୁସି ଖବର। ଆଉ ମାତ୍ର ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ପ୍ରବେଶ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ବର୍ତ୍ତମାନ ମୌସୁମୀ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି।
ତେବେ ମୌସୁମୀ ଆସିବା ପୂର୍ବରୁ ରାଜ୍ୟରେ କାଳବୈଶାଖୀ ଓ ପ୍ରବଳ ବର୍ଷାର ପ୍ରଭାବ ବଢ଼ିବାକୁ ଯାଉଛି। ପାଣିପାଗ ବିଭାଗ ୧୪ ଜୁନ୍ ପର୍ଯ୍ୟନ୍ତ ସମଗ୍ର ରାଜ୍ୟ ପାଇଁ ସତର୍କତା ଜାରି କରିଛି। ବିଶେଷକରି ୧୦ ତାରିଖ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳ ବର୍ଷା, ବଜ୍ରପାତ ଓ ଝଡ଼ପବନର ସମ୍ଭାବନା ରହିଛି।
ଆଜି ୧୪ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଅବଶିଷ୍ଟ ୧୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୯ ଓ ୧୦ ତାରିଖରେ ୧୧ଟି ଜିଲ୍ଲାକୁ ଅରେଞ୍ଜ ଓ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏପଟେ ମୌସୁମୀ ଆଗମନର ଅପେକ୍ଷା, ସେପଟେ କାଳବୈଶାଖୀର ତାଣ୍ଡବ। ତେଣୁ ଆସନ୍ତା କିଛି ଦିନ ପାଇଁ ଓଡ଼ିଶାର ପାଗ ରହିବ ସମ୍ପୂର୍ଣ୍ଣ ଅସ୍ଥିର। ପାଣିପାଗ ବିଭାଗର ସତର୍କ ସୂଚନା ଉପରେ ନଜର ରଖିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।