ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ମହନଦୀ ଜଳକୁ ନେଇ ଦୁଇ ପଡ଼ୋଶୀ ରାଜ୍ୟ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ହେବାର ଆଶା ଉଜ୍ଜୀବିତ ହେଉଥିବା ଦେଖିବାକୁ ମିଳିଛି । ଟିପ୍ରଲ୍ ଇଞ୍ଜିନ ସରକାର ମିଳିତଭାବେ ଏହି ମହାବିବାଦରେ ଅନ୍ତ କରିବେ ବୋଲି ଅନୁମାନ କରାଯାଉଛି । ଆଜି ହେବାକୁ ଥିବା ଶୁଣାଣି ସେପ୍ଟେମ୍ବର ମାସକୁ ଗଡ଼ାଇ ଦେଇଥିବାବେଳେ ଘୁଞ୍ଚିଥିବାବେଳେ ସେପଟେ ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ଅନ୍ତ କରିବାକୁ ଛତିଶଗଡ଼ ସରକାର ଓଡ଼ିଶା ସରକାରଙ୍କୁ ଚିଠି ଲେଖିଛନ୍ତି ।
ଶନିବାର ମହାନଦୀ ଜଳ ବିବାଦ ମାମଲାର ହେବାକୁ ଥିବା ଶୁଣାଣିକୁ ଘୁଞ୍ଚାଯାଇଛି । ଟ୍ରିବ୍ୟୁନାଲ ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ରାଜନୈତିକ ସ୍ତରରେ ଆଲୋଚନା ଆଗକୁ ବଢ଼ିଥିବାରୁ ସମାଧାନ ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ନେଇ ଅବଗତ କରାଇଛନ୍ତି ରାଜ୍ୟ ସରକାରଙ୍କ ଆଡଭୋକେଟ୍ ପୀତାମ୍ବର ଆଚାର୍ଯ୍ୟ ।
ଅନ୍ୟପକ୍ଷରେ ଗତ ଜୁଲାଇ ୨୫ ତାରିଖରେ ରାଜ୍ୟ ସରକାର ଛତିଶଗଡ଼ ସରକାରଙ୍କୁ ଆପୋଷ ବୁଝାମଣାରେ ବିବାଦର ଅନ୍ତ କରିବାକୁ ଚିଠି ଲେଖିଥିଲେ । ଏ ନେଇ ଗତକାଲି ଚିଠି ଜରିଆରେ ଜବାବ ରଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ଆପୋଷ ବୁଝାମଣା ସମ୍ପର୍କିତ ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ତେଣୁ ଆଗାମୀ ଶୁଣାଣିରେ କିଛିଟା ନିଷ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି ।
ରାଜ୍ୟରେ ବିଜେପି ସରକାର ଆସିବା ପରେ ଆଜି ଦ୍ୱିତୀୟ ଥର ଶୁଣାଣି ହେବାକୁ ଥିଲା । ଗତ ଜୁଲାଇ ୧୭ରେ ହୋଇଥିବା ଶୁଣାଣିରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ଛତିଶଗଡ଼ ଓ ଓଡିଶାର ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଆଲୋଚନା କରିଥିଲେ ।