କଟକ: କଟକ ଜିଲ୍ଲାରେ ହୋଇଛି ଦୁଇଟି ପୃଥକ ପୃଥକ ସଶସ୍ତ୍ର ଡକାୟତି । ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା । ବାଦାମବାଡ଼ି ଓ ସାଲେପୁରରେ ହୋଇଛି ଏହି ଲୁଟ୍ । ବାଦାମବାଡ଼ି ଥାନା ଅ଼ଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଠାର ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବାବେଳେ ସାଲେପୁର ଜାହାଙ୍ଗୀରାବାଦ ଗାଁରେ ଜଣେ ବ୍ୟକ୍ତିଙ୍କ ଘରୁ ୩୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।
ବାଦାମବାଡ଼ି ଥାନା ପଛପଟେ ଥିବା ବିକାଶ ନଗର ଲେନର କୌସ୍ତୁଭ ଆପାର୍ଟମେଣ୍ଟ ଲବିରୁ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଛି । ଲୁଟର ଶୀକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ମାଲଗୋଦାମ ବ୍ୟବସାୟୀ ନିରଞ୍ଜନ ଗୋଏଙ୍କା । ଲୁଟେରାଙ୍କ ଆକ୍ରମଣରେ ଗୋଏଙ୍କା ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଦୁଇ ଜଣ ଅଜଣା ବ୍ୟକ୍ତି ତାଙ୍କୁ ଫଲୋ କରି ଘର ପାଖକୁ ଆସିଥିଲେ । ଏହା ପରେ ନିରଞ୍ଜନଙ୍କୁ ଆକ୍ରମଣ କରିବାରୁ ସେ ତଳେ ପଡ଼ି ଯାଇଥିଲେ । ଏହା ପରେ ତାଙ୍କ ହାତରେ ଥିବା ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ଏ ନେଇ ବାଦାମବାଡ଼ି ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚିଥିଲା । କଟକ ଡିସିପି ପହଞ୍ଚି ଘଟଣାସ୍ଥଳରେ ଯାଞ୍ଚ କରିଛନ୍ତି । ପାଞ୍ଚ ଲକ୍ଷ ଲୁଟ୍ ନେଇ ଅଭିଯୋଗ ହୋଇଛି । ଦୁର୍ବୃତ୍ତ ମାନେ ଖେଳଣା ବନ୍ଧୁକ ଲଗାଇ ଆକ୍ରମଣ କରି ନିରଞନ ଗୋଏଙ୍କଠାରୁ ଲୁଟ୍ କରିଛନ୍ତି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅନୁସନ୍ଧାନ ଜାରି ରଖିଛି, ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ।
ଅନ୍ୟପକ୍ଷରେ ସାଲେପୁର ଜାହାଙ୍ଗୀରବାଦ ଗାଁରେ ଜଣେ ବ୍ୟକ୍ତି ଘରୁ ବନ୍ଧୁକ ଦେଖାଇ ୩୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଏହା ସହିତ ୫୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ୪ ଦୁର୍ବୃତ୍ତ ହାତ ଗୋଡ଼ ବାନ୍ଧି ଘରୁ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି ।