ସୋର: ପରିବାର ଲୋକଙ୍କ ହାତ ଗୋଡ଼ ବାନ୍ଧି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସୋର ଦହିସଡ଼ା ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଦୁର୍ବୃତ୍ତମାନେ ଘରୁ ସୁନା ଓ ରୂପା ଗହଣା ଲୁଟ କରି ନେଇଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ଦହିସଡ଼ା ଗାଁର ଜ୍ଞାନେନ୍ଦ୍ର ଉପାଧ୍ୟାୟଙ୍କ ଘରେ ଦୁର୍ବୃତ୍ତମାନେ ପଶି କଳାକନା ବୁଲାଇଛନ୍ତି । ପରିବାର ଲୋକଙ୍କ ହାତଗୋଡ଼ ବାନ୍ଧି, ମାରଣାସ୍ତ୍ର ଦେଖାଇ ୧ କେଜି ସୁନାଗହଣା ଓ ୨ କିଲୋ ରୂପା ଦୁର୍ବୃତ୍ତ ଲୁଟିନେଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ପ୍ରାୟ ୪୦ ମିନିଟ ଘରୁ ଲୁଟ କରିଥିଲେ । ଏହା ପରେ ପରିବାର ଲୋକେ ଲୁଟ ଖବର ସୋର ପୋଲିସକୁ ଦେଇଥିଲେ । ଖବର ପାଇ, ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଲୁଟେରାଙ୍କ ମଧ୍ୟରେ ଦୁଇ ଅଣ ଓଡ଼ିଆ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।