ଖବର ଓଡ଼ିଶା: ଗଞ୍ଜେଇ ମାଫିଆଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇବା ପୋଲିସ ପାଇଁ କାଳ ସାଜିଛି । ଟଙ୍କା ନେଇ ଗଞ୍ଜେଇ ମାଫିଆଙ୍କୁ ଛାଡ଼ିବା ଅଭିଯୋଗରେ କୋରାପୁଟ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ସଂପୃକ୍ତ ଥିବା ୧୧ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମାଛକୁଣ୍ଡ ଥାନା ଓ ଲମତାପୁଟ ଥାନାର ୩ ପୁଲିସ ଅଧିକାରୀଙ୍କ ସମେତ ୭ ଜଣ ପୋଲିସ କର୍ମଚାରୀଙ୍କୁ କୋରାପୁଟ ଏସପି ନିଲମ୍ବନ କରିଛନ୍ତି ।
ଗଞ୍ଜେଇ ମାଫିଆ ଓ ଗାଡ଼ିକୁ ଛାଡ଼ିବା ଅଭିଯୋଗରେ ଗତକାଲି କୋରାପୁଟ ପୋଲିସ ମାଛକୁଣ୍ଡ ଥାନା ଓ ଲମତାପୁଟ ଥାନାରେ ଚଢ଼ାଉ କରିଥିଲା । ପୋଲିସ ଅଧିକାରୀମାନେ ସଂପୃକ୍ତ ଥିବା ଅଭିଯୋଗରେ ବୁଧବାର ୧୧ ଜଣ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମାଛକୁଣ୍ଡ ଓ ଲମତାପୁଟ ଥାନାର ୭ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି କୋରାପୁଟ ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର । ନିଲମ୍ବିତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ୩ ଜଣ ସବଇନସପେକ୍ଟର, ୨ ଜଣ ଏପିଏଫ ଯବାନ ଓ ୨ ଜଣ କନଷ୍ଟେବଲ ଅଛନ୍ତି । ଏଥିସହ ୨ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ବେଳେ ତାଲିମ ନେଉଥିବ ୨ ଜଣ ଏସଆଇଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଗାଡ଼ିର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରାଯିବା ପରେ ଫେରାର୍ ହୋଇଥିବା ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।
ସୋମବାର ବିଳମ୍ବିତ ରାତିରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ଓଡ଼ିଶା-ଆନ୍ଧ୍ର ସୀମାରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଆନ୍ଧ୍ରରୁ ଏକ ଗଞ୍ଜେଇ ଟ୍ରକ୍ ଓଡ଼ିଶା ସୀମା ଦେଇ ବାହାର ରାଜ୍ୟକୁ ଯାଉଥିଲା । ମାଛକୁଣ୍ଡ ଓ ଲମତାପୁଟ ପୋଲିସ ଏହି ଗାଡ଼ିଟିକୁ ଅଟକାଇବା ସହ ଗଞ୍ଜେଇ ମାଫିଆଙ୍କୁ ଅଟକ ରଖିଥିଲେ । ପରେ ଗଞ୍ଜେଇ ମାଫିଆଙ୍କ ସହ ୧୦ ଲକ୍ଷ ଟଙ୍କାର ମୁଲଚାଲରେ ପୋଲିସ ସେମାନଙ୍କୁ ଛାଡ଼ିଦେଇଥିବା ଜଣା ପଡ଼ିଛି । ଗଞ୍ଜେଇ ମାଫିଆମାନେ ପୋଲିସକୁ ୫ ଲକ୍ଷ ଟଙ୍କା ଦେଇଥିବା ବେଳେ ଅବଶିଷ୍ଟ ଟଙ୍କା ଦେଇନଥିବା ଜଣାଯାଇଛି । ଯାହାକୁ ନେଇ ପୋଲିସ ଓ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରେ ମାଫିଆମାନେ ଗାଡ଼ି ଛାଡ଼ି ପଳାଇଯାଇଥିବା ଜଣା ପଡ଼ିଛି ।