ପୁରୀ: ଆଜିଠୁ ସାତଦିନ ଧରି ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା ଅନୁଷ୍ଠିତ ହେବ । ଏହି ଯାତ୍ରା ଶ୍ରୀମନ୍ଦିର ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ହୋଇଥାଏ । ଏହା ବହୁ ଆଡ଼ମ୍ବରରେ ପାଳିତ ହୁଏ। ଏହି ଯାତ୍ରା ଶ୍ରୀକୃଷ୍ଣଙ୍କର ଶ୍ରୀରାଧା ଓ ଗୋପୀମାନଙ୍କ ସହିତ ବିଳାସମୟ ଦୋଳିଖେଳ । ଦଶମୀ ତିଥି ଠାରୁ ପ୍ରତିପଦା ତିଥି ପର୍ଯ୍ୟନ୍ତ ପ୍ରାୟ ସାତଦିନ ବ୍ୟାପି ଝୁଲଣ ମହୋତ୍ସବ ପାଳନ ହୁଏ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଝୁଲଣ କୁଞ୍ଜକୁ ବିଜେ କରିବେ । ଝୁଲଣ ଯାତ୍ରାରେ ସୁସଜ୍ଜିତ ଦୋଳିରେ ରାଧା ଦାମୋଦରଙ୍କୁ ଦର୍ଶନ କରିବା ପାଇଁ କାହିଁ କେଉଁ ଆଡୁ ଭକ୍ତମାନେ ଶ୍ରୀମନ୍ଦିରକୁ ଆସିଥାନ୍ତି ।
ଶ୍ରୀମନ୍ଦିରରେ ପାଳିତ ହେଉଥିବା ସବୁ ପର୍ବ ଓ ଯାତ ଠାରୁ ଝୁଲଣ ଯାତ୍ରା ଏକ ପ୍ରମୁଖ ଏବଂ ଆକର୍ଷଣୀୟ ପର୍ବ । ଝୁଲଣ ଯାତ୍ରାର ଏକ ମାସ ପୂର୍ବରୁ ଝୁଲଣ ନିର୍ମାଣ କରାଯାଇଥାଏ । କୁଞ୍ଜକୁ ଆକର୍ଷଣୀୟ କରିବା ପାଇଁ ଜରି, ଜମ୍ବୁରା, ସୋଲ, ରଙ୍ଗ ଓ ନୂଆକନା ମଧ୍ୟ ବ୍ୟବହାର କରାଯାଇଥାଏ । ଏହି କୁଞ୍ଜରେ ଦେବାଦେବୀଙ୍କ ସହ ସକ୍ଷୀ, ପଶୁପକ୍ଷୀ ତଥା ବିଭିନ୍ନ ଗଛଲତା ଏବଂ ସୁବାସିତ ଫୁଲ ଓ ଫଳମୂଳକୁ ମଧ୍ୟ ସ୍ଥାନ ଦିଆଯାଇଥାଏ । ଝୁଲଣକୁ ସୁସଜ୍ଜିତ ଭାବରେ ସଜା ଯାଇଥାଏ ।