ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ଚାଷୀ ମାନେ ଆଜି ବ୍ଲକ୍ ତହସିଲ କାର୍ୟ୍ୟାଳୟ ଘେରାଉ କରି ନିଜ ଦାବି ଉପସ୍ଥାପନ କରିଛନ୍ତି। ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷୀ କୂଳ ହତାଶ ହୋଇ ପଡିଥିବା ବେଳେ ସରକାରୀ ବାବୁ ମାନେ ମନମୁଖୀ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିଛନ୍ତି । ଏନେଇ ଅଧିକାରୀଙ୍କ ବିରୁଦ୍ଧରେ ସ୍ୱର ଉଠାଇଛନ୍ତି ଚାଷୀ ।
ଚାଷୀଙ୍କ ଯେତିକି କ୍ଷତି ହୋଇଛି ସେତିକି କ୍ଷତିପୂରଣ କରିବାକୁ ସେମାନେ ଦାବି କରିଛନ୍ତି । କଟା ଯାଇଥିବା କଚଡା ଧାନ ଗଜା ହୋଇଯାଇଥିବା ବେଳେ ଧାନ ବିଲରେ ପାଣି ଜମାହେବା ଦ୍ଵାରା ଚାଷୀ ମାନେ ଧାନ କାଟିବାକୁ ଦୁଇଗଣା ଖର୍ଚ୍ଚ କରିବାକୁ ପଡୁଛି। ଏଥିସହ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ମୁଗ ଚାଷ ବି ନଷ୍ଟ ହୋଇଛି ।
ସୋମବାର ରଘୁନାଥପୁର ଅଞ୍ଚଳର ଶତାଧିକ ଚାଷୀ ଏକାଠି ହୋଇ ନିଜ ଦାବି ବ୍ଲକ ପ୍ରଶାସନକୁ ଜଣାଇଛନ୍ତି। ସରକାରୀ ବାବୁ ମାନେ ଚାଷ ବିଲକୁ ଯାଇ ପ୍ରକୃତ କ୍ଷୟ କ୍ଷତି ଆକଳନ କରିବାକୁ ତହସିଲଦାର ଆଗେ କହିଛନ୍ତି ଚାଷୀ ।