ଭୁବନେଶ୍ୱର: ଆସନ୍ତାକାଲି ଅପରାହ୍ନରେ ଆପାର୍ଟମେଣ୍ଟ ପଞ୍ଜିକରଣ ନିୟମକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ୫ଟି ବିଷୟ ବସ୍ତୁକୁ ନେଇ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ନଗର ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ସମେତ ଓରେରା, ବିଡ଼ିଏ, ବିଏମସି, ଟାଉନ ପ୍ଲାନିଂ, ୱାଟକୋ ଭଳି ବିଭିନ୍ନ ବିଭାଗର ଅଧିକାରୀ ଏହି ବୈଠକରେ ଯୋଗଦେବେ ।
ଆପାର୍ଟମେଣ୍ଟ ପଞ୍ଜିକରଣ ସମସ୍ୟାର ସମାଧାନ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯିବ । ବୈଠକରେ ରେରା ସମ୍ବନ୍ଧୀୟ ବିଭିନ୍ନ ବିଷୟଗୁଡିକ ଉପରେ ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ । ଫ୍ଲାଟ ପଞ୍ଜୀକରଣ ସମସ୍ୟା, ହାଉସିଂ କଲୋନୀଗୁଡ଼ିକ ଭିତରେ ଥିବା ଜଙ୍ଗଲ ଜମି ସ୍ଥିତି, ଜବରଦଖଲରେ ଥିବା ରାସ୍ତାଘାଟ, ଆପ୍ରୋଚ୍ ରୋଡ୍ ପାଇଁ ଘରୋଇ ଜମି ପାଇବା ଏବଂ ସରକାରୀ ଜମିର ବ୍ୟବହାର ଉପରେ ଏହି ବୈଠକରେ ଆଲୋକପାତ କରାଯିବ । ଏହି ବୈଠକରେ ଆପାର୍ଟମେଣ୍ଟ ପଞ୍ଜିକରଣ ନିୟମକୁ ନେଇ ସମସ୍ୟାର ସମାଧାନ କରାଯିବ ବୋଲି ସୂଚନା ମିଳିଛି ।