ଭୁବନେଶ୍ୱର: ରାଜ୍ୟରୁ ଏବେ ମୌସୁମୀ ଫେରିବାର ପାଗ ଅନୁକୁଳ ହୋଇ ନାହିଁ । କିନ୍ତୁ ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ଗୁଳୁଗୁଳି । ବାୟୁ ମଣ୍ଡଳରେ ଆର୍ଦ୍ରତା ଥିବାରୁ ଗୁଳୁଗୁଳିର ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ମୁତାବକ, ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନାହିଁ । ଏହି ଦିନମାନଙ୍କରେ ପାଗ ପ୍ରାୟତଃ ଶୁଖିଲା ରହିବା । କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ । ଏହି ଦିନମାନଙ୍କରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢ଼ିବାର ସମ୍ଭାବନା ଥିବାରୁ ଗରମ ଅନୁଭୂତ ହେବ । ଏହି ସମୟରେ ଦିନରେ ତାପମାତ୍ରା ଅଧିକ ରହିବା ସହିତ ଗୁଳୁଗୁଳି ଅନୁଭୂତ ହେବ । ବାୟୁ ମଣ୍ଡଳରେ ୮୦ ପ୍ରତିଶତରୁ ୯୦ ପ୍ରତିଶତ ଆର୍ଦ୍ରତା ରହୁଥିବାରୁ ଗୁଳୁଗୁଳି ହେବ ।
ଅନ୍ୟପକ୍ଷରେ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ଦୁର୍ଗା ପୂଜା ଫିକା ପଡ଼ିବାର ସମ୍ଭାବନା ରହିଛି । ଆଗାମୀ ଅକ୍ଟୋବର ୫, ୬ ଓ ୭ ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରେ ବର୍ଷା ହେବାର ସମ୍ଭାବନା ରହିଛି । ଭାରତରେ ଏବେ ମୌସୁମୀ ଫେରିବା ଆରମ୍ଭ ହୋଇଛି କିନ୍ତୁ ରାଜ୍ୟରୁ ଏବେ ମୌସୁମୀ ଫେରିବାର ପାଗ ଅନୁକୂଳ ହୋଇ ନାହିଁ । ବାୟୁ ମଣ୍ଡଳରେ ଆର୍ଦ୍ରତା ଥିବାରୁ ଓଡ଼ିଶାରୁ ମୌସୁମୀ ଫେରିବାର ବାଟ ଫିଟି ନାହିଁ । ଆସନ୍ତା ଅକ୍ଟୋବର ୯ରୁ ୧୦ ତାରିଖ ବେଳକୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ପାଣିପାଗ ନିର୍ଦ୍ଦେଶିକା କହିଛନ୍ତି ।
ସେହିପରି ଚଳିତ ବର୍ଷ ରାଜ୍ୟରେ ୫ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ଚାରୋଟି ଜିଲ୍ଲା କେନ୍ଦୁଝର, ଦେବଗଡ଼, ଭଦ୍ରକ ଏବଂ ଝାରସୁଗୁଡ଼ାରେ ନିଅଣ୍ଟିଆ ବର୍ଷା ହୋଇଥିବା ମନୋରମା ମହାନ୍ତି କହିଛନ୍ତି ।