ଭୁବନେଶ୍ୱର: ପୁରୀ ଜିଲ୍ଲା ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀଙ୍କୁ ଅର୍ଦ୍ଧ ଦଗ୍ଧ ମୃତ ଦେହକୁ ଶ୍ମଶାନରୁ ପୁଲିସ ଜବତ କରିଛି । ମୃତା ମହିଳା ଜଣକ ହେଲେ ଅଜୟ ଜେନାଙ୍କ ସ୍ତ୍ରୀ ଅଶ୍ରୁକଣା ପ୍ରଧାନ (୭୮) । ଭୁବନେଶ୍ୱରସ୍ଥିତ ସତ୍ୟନଗର ଶ୍ମଶାନରେ ବୋହୂ କାହାକୁ ନ ଜଣାଇ ଶାଶୁଙ୍କ ଶବ ଦାହ କରୁଥିଲେ ବୋଲି ଅଭିଯୋଗ ହୋଇଛି ।
ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀ ଅଶ୍ରୁକଣାଙ୍କର ଦେହାନ୍ତ ହୋଇଥିଲା । ମାତ୍ର ତାଙ୍କ ବୋହୂ କାହାକୁ ନ ଜଣାଇ ଭୁବନେଶ୍ୱର ସତ୍ୟଗନର ଶ୍ମଶାନରେ ଶବ ଦାହ କରୁଥିଲେ ବୋଲି ସମ୍ପର୍କୀୟମାନେ ପୁଲିସକୁ ଜଣାଇଥିଲେ । ବୋହୂ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ଅଶ୍ରୁକଣାଙ୍କ ଭାଇ ।
ଅନ୍ୟପକ୍ଷରେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ବୋହୂ । ଶାଶୁଙ୍କର ମୃତ୍ୟୁ ହେଲା ପରେ ପ୍ରାଇଭେଟ୍ ମେଡ଼ିକାଲକୁ ନେଇକି ଯାଇଥିଲେ । ସେଠାରେ ଡାକ୍ତର ଲେଖାଲେଖି କରି କାଗଜ ଦେବା ପରେ ଶବ ଦାହ କରିବାକୁ ଆସିଥିଲି ବୋଲି ବୋହୂ କହିଛନ୍ତି ।
ଅଭିଯୋଗ କ୍ରମେ ପୁଲିସ ଶ୍ମଶାନରେ ପହଁଚି ମୃତ ଦେହକୁ ଜବତ କରିଛି । ଏହା ସହିତ ପୁଲିସ ମୃତ ଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଦେଇଛି । ସେଠାରେ ଶବ ବ୍ୟବଚ୍ଛେଦ କରାଯିବା ପରେ ଅଶ୍ରୁକଣାଙ୍କ ଶେଷ କୃତ୍ୟ କରାଯିବ ବୋଲି ପୁଲିସ କହିଛି । ପୁଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି ।