ଭୁବନେଶ୍ୱର : ପରିବହନ କ୍ଷେତ୍ରରେ ବଡ ପରିବର୍ତ୍ତନ । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଦିନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଓଡ଼ିଶାରେ ସଡ଼କ ଭିତ୍ତିଭୂମି ଖୁବ୍ ଶୀଘ୍ର ଆମେରିକାର ସଡ଼କ ଭିତ୍ତିଭୂମି ସହିତ ସମକକ୍ଷ ହେବ ଏବଂ ଓଡ଼ିଶାରେ ଖୁବଶିଘ୍ର ଚାଲିବ ହାଇ-ଟେକ୍ ଇଲେକ୍ଟ୍ରିକ ବସ୍ । ଏହି ପଦକ୍ଷପ ଦ୍ୱାରା ଭୁବନେଶ୍ୱର ଓ କଟକର ଯୁଗ୍ମ ନଗରୀକୁ ତୀର୍ଥନଗରୀ ପୁରୀ ସହ ସିଧାସଳଖ ଇଲେକ୍ଟ୍ରିକ ବସ୍ ସେବା ସହଜ ହେବ।
ଏହି ବସ୍ଗୁଡ଼ିକ ପାଇଁ ପାଇଲଟ ପ୍ରକଳ୍ପ ମହାରାଷ୍ଟ୍ରର ନାଗପୁରରେ ଆରମ୍ଭ ହେବାକୁ ଯାଉଛି। ଏହି ଅତ୍ୟାଧୁନିକ ବସ୍ଗୁଡ଼ିକ ଫ୍ଲାସ୍-ଚାର୍ଜିଂ ପ୍ରଯୁକ୍ତିବିଦ୍ୟାରେ ପରିପୂର୍ଣ୍ଣ, ଯାହା ବସ୍ ଷ୍ଟପ୍ରେ ଲାଗିଥିବା ୬୦୦ କିଲୋୱାଟର ଓଭରହେଡ୍ ଚାର୍ଜର ମାଧ୍ୟମରେ ୩୦ ସେକେଣ୍ଡରୁ କମ୍ ସମୟରେ ପୂର୍ଣ୍ଣ ଚାର୍ଜ ହେବାର କ୍ଷମତା ରଖିଛି।
ପ୍ରତ୍ୟେକ ବସ୍ ୧୮ ମିଟର ଲମ୍ବା ଏବଂ ଏହାରେ ଏକ୍ସିକ୍ୟୁଟିଭ୍-ଶ୍ରେଣୀର ଆସନ, ବ୍ୟକ୍ତିଗତ ଟିଭି ସ୍କ୍ରିନ୍, ଏୟାର କଣ୍ଡିସନିଂ, ଲାପଟପ୍ ଟ୍ରେ, ମୋବାଇଲ ଚାର୍ଜିଂ ପଏଣ୍ଟ ଏବଂ ଅନବୋର୍ଡ ସ୍ନାକ୍ସ ଭଳି ଉଚ୍ଚମାନର ସୁବିଧା ରହିଛି, ଯାହା ଯାତ୍ରୀମାନଙ୍କୁ ଉଡ଼ାଣ ଭଳି ଅନୁଭବ ପ୍ରଦାନ କରିବ । ଯଦି ନାଗପୁର ମଡେଲ ସଫଳ ହୁଏ, ତେବେ ଓଡ଼ିଶାରେ ମଧ୍ୟ ଏହି ଧରଣର ସେବା ଶୀଘ୍ର ଆରମ୍ଭ ହୋଇପାରେ, ଯାହା ଯାତ୍ରୀମାନଙ୍କ ପାଇଁ ପରିବେଶ ଅନୁକୂଳ, ଆରାମଦାୟକ ଏବଂ ସୁଲଭ ଯାତ୍ରା ପ୍ରଦାନ କରିବ।
ତେବେ ଗତକାଲି ମନ୍ତ୍ରୀ ଓଡିଶା ଗସ୍ତ ସମୟରେ ରାଜ୍ୟରେ ୯,୦୦୦ କୋଟି ଟଙ୍କା ବିନିଯୋଗରେ ୧୩ଟି ନୂତନ ରାଜପଥ ପ୍ରକଳ୍ପ ନିର୍ମାଣ କରାଯିବାର ଘୋଷଣା କରିବା ସହିତ, ମନ୍ତ୍ରୀ ଜାତୀୟ ରାଜପଥଗୁଡ଼ିକରେ ଭିଡ଼ କମ କରିବା ଏବଂ ଦ୍ରୁତ ଯୋଗାଯୋଗ ସୁନିଶ୍ଚିତ କରିବା ପାଇଁ କଟକ, ଭୁବନେଶ୍ୱର ଏବଂ ପୁରୀ ମଧ୍ୟରେ ଫ୍ଲାସ୍ ଚାର୍ଜିଂ-ଭିତ୍ତିକ ଏୟାରକଣ୍ଡିସନ୍ଡ୍ ଇଲେକ୍ଟ୍ରିକ୍ ବସ୍ ସେବା ଆରମ୍ଭ କରିବାକୁ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।