ଯାଜପୁର: ସୋମବାର ଅପରାହ୍ନରେ ରାଜ୍ୟରେ କିଛି ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଘଡ଼ଘଡ଼ି ବିଜୁଳି ସହିତ କେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି । କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ ଆଦି ଜିଲ୍ଲା ଗୁଡ଼ିକରେ ବର୍ଷା ପବନ ହୋଇଛି । ତେବେ ଯାଜପୁର ଜିଲ୍ଲା କୋରେଇ ଥାନା ରଗଡ଼ି ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ବଜ୍ରପାତରେ ଟ୍ରକ୍ ଖଲାସୀଙ୍କର ମୃତ୍ୟୁ ହୋଇଛି । ଟ୍ରକ୍ ଚାଳକ ଆହତ ହୋଇଛନ୍ତି । ମୃତକ ହେଲେ ଅନୁଗୁଳ ଜିଲ୍ଲା ରେଙ୍ଗାଲି ଡ୍ୟାମ ସାଇଟ ଥାନା ଅନ୍ତର୍ଗତ ବଜ୍ରୋକୋଟ ଗ୍ରାମର ଧୋଳେଶ୍ୱର ନାୟକଙ୍କ ପୁଅ ଦିଲ୍ଲୀପ ନାୟକ(୨୪)। ଆହତ ଟ୍ରକ୍ ଚାଳକ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ କଲଣ୍ଡା ଗ୍ରାମର ରାମଚନ୍ଦ୍ର ଖୁଣ୍ଟିଆଙ୍କ ପୁଅ ପପୁ ଖୁଣ୍ଟିଆ(୨୭) ।
ପ୍ରାପ୍ତ ସୂଚନା ମୁତାବକ, କେନ୍ଦୁଝରରୁ ଲୁହାପଥର ନେଇ ଟ୍ରକ୍ ପାରାଦୀପ ଯାଉଥିବାବେଳେ ଖାଇବା ପାଇଁ ସୋମବାର ଅପରାହ୍ନ ପ୍ରାୟ ଅଢ଼େଇଟା ସମୟରେ ରାଜପଥ କଡ଼ରେ ମା’ଭଗବତୀ ହୋଟେଲ ନିକଟରେ ଗାଡ଼ି ଅଟକାଇଥିଲେ । ଉଭୟ ଖାଇବା ପୂର୍ବରୁ ଗାଧୋଇ ଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ଫଳରେ ଦୁଇ ଜଣ ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ଦମକଳ ବାହିନୀ ଓ କୋରେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଉଭୟଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲା । ତେବେ ଖଲାସୀ ଦିଲ୍ଲୀପକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବାବେଳେ ଡ୍ରାଇଭର ପପୁ ଖୁଣ୍ଟିଆ ନିର୍ବାକ ହୋଇପଡ଼ିଛନ୍ତି ।
ଅନ୍ୟପକ୍ଷରେ କୋରେଇ ଅଞ୍ଚଳରେ ଅନେକ ସ୍ଥାନରେ ବଜ୍ରପାତରେ କ୍ଷୟକ୍ଷତି ମଧ୍ୟ ହୋଇଛି । ଘର ଆଜବେଷ୍ଟସ୍ ଭାଙ୍ଗି ଯାଇଥିବାବେଳେ ପଙ୍ଖା, ଇନଭର୍ଟର ଓ ଅନ୍ୟାନ୍ୟ ବିଦ୍ୟୁତ୍ ଉପକରଣ ନଷ୍ଟ ହୋଇଯାଇଛି ।
ସେହିପରି ଭଦ୍ରକରେ କାଳବୈଶାଖୀର ପ୍ରଭାବନ ଦେଖିବାକୁ ମିଳିଛି । ବଜ୍ରାଘାତ ଯୋଗୁଁ ଭଦ୍ରକ ବ୍ଲକ ଅନ୍ତର୍ଗତ ହରିପୁର ପଞ୍ଚାୟତସ୍ଥିତ ହରିପୁର ଗାଁରେ ଥିବା ଜଗନ୍ନାଥ ମନ୍ଦିର ଦଧିନଉତି ଭାଙ୍ଗି ଯାଇଛି ।