କୋରାପୁଟ/ବରଗଡ଼: ଆଜି ଗୋଟିଏ ଦିନରେ ଦୁଇ ଦୁଇ ଜଣ ମହିଳା ସରକାରୀ ଅଧିକାରୀ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । କୋରାପୁଟ ଜିଲ୍ଲା ଲମତାପୁଟ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ୮,୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଗିରଫ କରିଛି । ଜଣେ ଗାଁ ସାଥୀଙ୍କ ଠାରୁ ଲାଞ୍ଚ ନେଉଥିଲେ ।
ଅଭିଯୋଗକାରୀ (ଗାଁ ସାଥି)ଙ୍କ ମୁତାବକ, କୋରାପୁଟ ଜିଲ୍ଲା ଲମତାପୁଟ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ମନରେଗା ଯୋଜନାରେ କାମ କରୁଥିବା ଶ୍ରମିକ ପାରିଶ୍ରମିକ ବାବଦକୁ ବିଲ୍ କରିବାକୁ ପ୍ରଥମେ ୧୫,୦୦୦ ନେବାକୁ ଦାବି କରିଥିଲେ । ଗାଁ ସାଥି ଜଣକ ପର୍ଯ୍ୟାୟ କ୍ରମରେ ଟଙ୍କା ଦେବାକୁ ରାଜି ହୋଇଥିଲେ । କିଛି ଦିନ ପୂର୍ବରୁ ସେ ପ୍ରଥମେ ୫ ହଜାର ଟଙ୍କା ଦେଇଥିଲେ । ଏହା ପରେ ବାକି ୧୦ ହଜାର ଟଙ୍କା ଦେବାକୁ ସହକାରୀ ଯନ୍ତ୍ରୀ ଚାପ ପକାଇଥିଲେ । ପରବର୍ତ୍ତୀ ସମୟରେ ୮ ହଜାର ଟଙ୍କାରେ କଥା ହୋଇଥିଲା । ଏ ନେଇ ଉକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଜଣାଇଥିଲେ । ଯୋଜନା ମୁତାବକ ଆଜି ଅଭିଯୋଗକାରୀ ସହକାରୀ ଯନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନରେ ୮ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ଭିଜିଲାନ୍ସ ଲାଞ୍ଚ ଟଙ୍କାକୁ ଜବତ କରିଛି ।
ଏହା ପରେ ଯନ୍ତ୍ରୀ ସୁଚିସ୍ମିତା ପରିଜାଙ୍କର ୩ଟି ଠିକଣାରେ ଚଢ଼ଉ କରାଯାଉଛି । ଲମତାପୁଟ ସରକାରୀ ବାସଭବନ ଏବଂ ଶିମିଳିଗୁଡ଼ାରେ ଥିବା ଭଡ଼ା ଘରେ ମଧ୍ୟ ଚଢ଼ଉ ହେଉଛି । ତାଙ୍କୁ ଖୁବ ଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ଧରାପଡ଼ିଛନ୍ତି । ମନରେଗା ବିଲ୍ କରିବା ଜଣେ କଣ୍ଟ୍ରାକ୍ଟରକୁ ସେ ପାଇଁ ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି । ମନରେଗା କାମ ପାଇଁ ୯ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ଆସିଥିଲା । ପ୍ରାଥମିକ ପର୍ଯ୍ୟାୟରେ ୩.୧୫ ଲକ୍ଷ ରିଲିଜ୍ କରିଥିଲେ । କିନ୍ତୁ ବାକି ଅନୁଦାନ ରିଲିଜ୍ କରିବାକୁ ଯନ୍ତ୍ରୀ ସୁସ୍ମିତା ଓରାମ ୧୦ % ହିସାବରେ ୩୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବରୁ ସେ ୨୪ ହଜାର ଟଙ୍କା ନେଇଥିଲେ । ଏ ନେଇ କଣ୍ଟ୍ରାକ୍ଟର ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ମଙ୍ଗଳବାର ବାକି ୮ ହଜାର ଟଙ୍କା ନେଉଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଧରିନେଇଥିଲା । ତାଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯିବ ।