ଭୁବନେଶ୍ୱର: ପ୍ରକାଶ ପାଇଲା OJEE ରେଜଲ୍ଟ। ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, SCTEVT ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ OJEE -2025 ର ଫଳାଫଳ ଘୋଷଣା କରିବା ସହିତ ଫଳାଫଳ ପୁସ୍ତିକାର ଶୁଭ ଉନ୍ମୋଚନ କରିଛନ୍ତି । ଏବେ ପରୀକ୍ଷାର୍ଥୀ ମାନେ OJEE website (www.ojee.nic.in) ରୁ ନିଜ ନିଜର Rank Card ପାଇପାରିବେ ।
ଅନୁରାଗ ମିଶ୍ର ହେଲେ ଏମ୍ବିଏ ଟପ୍ପର। ସେହିପରି ଯତୀନ ମେହେର-ବି.ଫାର୍ମ ଓ ଏସ୍ . ସିସେନ୍ଦ୍ରି ଏମ୍ସିଏ ଟପ୍ପର ହୋଇଛନ୍ତି । ଏମ୍.ଫାର୍ମରେ ଟପ୍ପର ହୋଇଛନ୍ତି ହିତେଶ କୁମାର ଧଳ। ଅସ୍ମିତା ସୁବୁଦ୍ଧି ଏମ୍.ଆର୍କ ଟପ୍ପର ଏବଂ ଉର୍ମିକାନ୍ତ ମଣିନନ୍ଦନ ସାହୁ ଏମ୍. ପ୍ଲାନ ଟପ୍ପର ହୋଇଛନ୍ତି।
ଚଳିତବର୍ଷ ମେ ୨ରୁ ମେ ୧୨ ତାରିଖ ଯାଏଁ ଅନୁଷ୍ଠିତ ହୋଇଥିଲା ଓଜେଇଇ ପରୀକ୍ଷା। ୩ଟି ସିଫ୍ଟରେ ପରୀକ୍ଷା ହୋଇଥିଲା । ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରଚଳିତ ୧୭ ଗୋଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ଯଥା B.CAT, LE-BTech. (for Diploma students), LE-BTech. (for B.Sc. students), B. Pharm., MBA, MCA, Int. MBA, LE-Pharm., M.Pharm, M. Arch, M. Plan, M. Tech., Basic B.Sc Nursing, Post Basic B.Sc Nursing, M.Sc Nursing, and Post Diploma Nursing ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।
ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ସହିତ ରାଜ୍ୟ ବାହାରେ ୦୩ ଟି ସହର ଯଥା କୋଲକାତା, ପାଟନା ଏବଂ ରାଞ୍ଚିରେ, ସର୍ବ ମୋଟ ୭୦ ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଏ ବର୍ଷ ସମୁଦାୟ ୯୨,୪୮୮ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବାବେଳେ ୮୦,୩୨୪ ପରୀକ୍ଷାର୍ଥୀ (୮୬.୮୪ ଶତକଡା ) ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ନର୍ସିଙ୍ଗ ପାଠ୍ୟକ୍ରମ ବ୍ୟତୀତ, ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟରୁ ୫୫,୩୬୨ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କର ଅନୁରୂପ ପାଠ୍ୟକ୍ରମରେ ସ୍ଥାନ (Rank) ମିଳିଛି । କେବଳ ନର୍ସିଙ୍ଗ ପାଠ୍ୟକ୍ରମର ଫଳାଫଳ ରାଜ୍ୟ DMET ତରଫରୁ ପ୍ରକାଶ ପାଇବ I