ଭୁବନେଶ୍ୱର: ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE-୨୦୨୫) ର ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ SCTEVT ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ OJEE -୨୦୨୫ର ଫଳାଫଳ ଘୋଷଣା କରିବା ସହିତ ଫଳାଫଳ ପୁସ୍ତିକାର ଶୁଭ ଉନ୍ମୋଚନ କରିଛନ୍ତି । ମନ୍ତ୍ରୀ କୃତୀ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏହି ପରିଶ୍ରମ ଓ ଅଧ୍ୟବସାୟକୁ ଅବ୍ୟାହତ ରଖି ଆଗାମୀ ଜୀବନରେ ସଫଳତା ହାସଲ କରିବା ସହିତ ଜଣେ ଜଣେ ସୁନାଗରିକ ହୋଇ ଓଡିଶାର ସୁନାମକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକରୁ ଅଧିକ ଋଦ୍ଧିମନ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାଅନୁଷ୍ଠାନମାନଙ୍କରେ ପ୍ରଚଳିତ ୧୭ ଗୋଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏ ବର୍ଷ ସମୁଦାୟ ୯୨,୪୮୮ ପରୀକ୍ଷାର୍ଥୀ ପଞ୍ଜୀକୃତ କରିଥିବାବେଳେ ୮୦,୩୨୪ ଜଣ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୫୫,୩୬୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ସହିତ ରାଜ୍ୟ ବାହାରେ ୩ଟି ସହର ଯଥା କୋଲକାତା, ପାଟନା ଏବଂ ରାଞ୍ଚିରେ, ସର୍ବ ମୋଟ ୭୦ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।