ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏହି ପବିତ୍ର ତିଥିରେ ରତ୍ନବେଦୀରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ଦାରୁଦିଅଁ ଆଜି ଭକ୍ତଙ୍କ ସମ୍ମୁଖରେ କରିବେ ପ୍ରତ୍ୟକ୍ଷ ସ୍ନାନ। ପ୍ରତିବର୍ଷ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ଏହା ପାଳନ କରାଯାଏ। ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ। ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ। ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ।
ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ମଙ୍ଗଳବାର ସେନାପଟା ଲାଗି ଶେଷ ହୋଇଛି। ରତ୍ନସିଂହାସନରେ ଚାରବାଡ଼ ବନ୍ଧା ସରିଥିବାବେଳେ ଭୋର ୫ଟାରୁ ସକାଳ ୭ଟା ମଧ୍ୟରେ ପହଣ୍ଡି ଲାଗି ନୀତି ନିର୍ଘଣ୍ଟ ହୋଇଛି। ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ସ୍ନାନବେଦୀକୁ ଆସିବେ ଜଗତରନାଥ ଶ୍ରୀଜଗନ୍ନାଥ।
ଶ୍ରୀଜଗନ୍ନାଥ ୩୫ କଳସ, ଶ୍ରୀବଳଭଦ୍ର ୩୩ କଳସ, ଦେବୀ ସୁଭଦ୍ରା ୨୨ କଳସ ଓ ଶ୍ରୀ ସୁଦର୍ଶନ ୧୮ କଳସ ଜଳରେ ସ୍ନାନ କରନ୍ତି। ଏହି ଜଳ ସୁନାକୂଅରୁ ଆସେ। କୁହାଯାଏ ଯେ ପୂର୍ବରୁ ଏହି ସ୍ନାନ ନୀତି ପାଇଁ ଭାରତବର୍ଷର ସବୁ ତୀର୍ଥରୁ ଜଳ ଅଣାଯାଉଥିଲା। କିନ୍ତୁ କାଳକ୍ରମେ ତାହା ସମ୍ଭବ ନହେବାରୁ ଗୋଟିଏ ସୁନା କଳସୀରେ ସବୁ ତୀର୍ଥର ଜଳ ନେଇ ତାହାକୁ ଗୋଟିଏ ସ୍ବତନ୍ତ୍ର କୂଅରେ ରଖାଗଲା। ତେଣୁ ତାହା ‘ସୁନାକୂଅ’ ଭାବରେ ପ୍ରସିଦ୍ଧ ହେଲା। ଏଣୁ ବିଶ୍ବାସ କରାଯାଏ ଯେ ସେହି ସୁନାକୂଅରେ ସବୁ ତୀର୍ଥର ଜଳ ସମାହିତ ହୋଇଛନ୍ତି। କେବଳ ବର୍ଷକରେ ଥରେ ସେହି କୂଅର ଜଳରେ ଠାକୁରମାନେ ସ୍ନାନ କରନ୍ତି। ଅନ୍ୟ ସବୁଦିନେ ତାହା ବନ୍ଦ ରହିଥାଏ।
ତେବେ ସ୍ନାନ ପରେ ଜ୍ୱରରେ ପଡିବେ ମହାପ୍ରଭୁ। ଏହାପରେ ଉପଶମ ପାଇଁ ଚାଲିବ ଉପଚାର। ଦଇତାପତି ସେବକମାନେ ଏହି ଗୁପ୍ତ ସେବା କରିବେ। ମହାପ୍ରଭୁ ସୁସ୍ଥ ହେବା ପରେ ଜୁନ୍ ୨୭ ତାରିଖରେ ରଥରେ ବସି ଯିବେ ଜନ୍ମବେଦୀକୁ।