ଭୁବନେଶ୍ବର ; ନବରଙ୍ଗପୁର ଜିଲ୍ଲା ରାଜନୀତିରେ ରୋଚକ ଦୃଶ୍ୟ । ବିଜେଡିର ଚକ୍ରନ୍ତରେ ଫସିବାକୁ ଯାଉଥିଲେ ବ୍ଲକ ଅଧ୍ୟକ୍ଷା । ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକର ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ, ଉପାଧ୍ୟକ୍ଷଙ୍କ ସମେତ ୨୩ ଜଣ ପଞ୍ଚାୟତ ପ୍ରତିନିଧି ବିଜେପିରେ ସାମିଲ ହୋଇଛନ୍ତି ।ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ସମର୍ଥନରେ ବହୁମତ ହାସଲ କରି ବ୍ଲକ ଅଧ୍ୟକ୍ଷା ହୋଇଥିଲେ ନିଳେନ୍ଦ୍ରୀ ନାୟକ। କିନ୍ତୁ ତାଙ୍କ କାର୍ଯ୍ୟକଳାପକୁ ନେଇ ବିଜେଡି ଭିତରେ ଫାଟ ସୃଷ୍ଟି ହେବା ପରେ ଦଳ ତାଙ୍କୁ ଅଧ୍ୟକ୍ଷା ପଦରୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ଆଣିଥିଲା । ଫଳରେ ନିଳେନ୍ଦ୍ରୀ ନାୟକ ବିଜେପି ନେତାଙ୍କ ସହିତ ଟଚରେ ରହିଥିଲେ ।ସେହିପରି ଆଜି ତାଙ୍କ ନାମରେ ଅନାସ୍ଥା ପ୍ରସ୍ଥାବ ଭୋଟ ହେବା ସମୟରେ କୌଣସି ଜଣେ ମଧ୍ୟ ସମିତିସଭ୍ୟ ଓ ସରପଞ୍ଚ ଭୋଟ ଦାନ ପାଇଁ ଆସିନଥିଲେ। ଯାହା ଫଳରେ ସେ ନିଜ ପଦବୀ ବଜାୟ ରଖିବା ସହିତ ବିଜେପି ଦଳରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି, ବିଧାୟକ ଗୌରୀ ଶଙ୍କର ମାଝି, ବିଧାୟକ ରୂପ ଭତ୍ରା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିରଂଚି ନାରୟଣ ତ୍ରିପାଠୀ, ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।