ଭୁବନେଶ୍ଵର: ଲଘୁଚାପ ପ୍ରଭାବରେ ଉପରେ ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ଫଳରେ ବୈତରଣୀ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବର୍ଷା ଜାରି ରହିଲେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବାର ଆଶଙ୍କା ରହିଛି । ଏନେଇ ଲୋକମାନଙ୍କୁ ମଧ୍ୟ ସତର୍କ କରାଯାଇଛି । ସୁବର୍ଣ୍ଣରେଖା ନଦୀର ଜଳସ୍ତର ରାଜଘାଟଠାରେ ୧୦.୪୮ ମି. ପ୍ରବାହିତ ହେଉଥିବାବେଳେ ବିପଦ ସଂକେତ ୧୦.୩୬ ମି. ରହିଛି । ଫଳରେ ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ଅଂଚଳ ପ୍ରଭାବିତ ହେଉଛି । ସେହିପରି ବୈତରଣୀ ନଦୀର ଜଳସ୍ତର ୧୮.୪୨ ମି. ଥିବାବେଳେ ବିପଦ ସଂକେତ ୧୮.୩୩ ମି ରହିଛି ।
ନଦୀର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲେକଙ୍କୁ ସତର୍କ କରାଯାଇଛି । ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ବିଡ଼ିଓ, ତହସିଲଦାର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ତଳିଆ ଅଞ୍ଚଳରେ ଦୃଷ୍ଟି ଦେବାକୁ ନିର୍ଦେଶ ଦେଇଛନ୍ତି । ଓଡ୍ରାଫ ଟିମ ମଧ୍ୟ ମୁତୟନ କରିବା ପାଇଁ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଉପରେ ମୁଣ୍ଡରେ ପ୍ରବଳ ବର୍ଷା ପାଇଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ହୋଇଥିଲା । ସେଥିପାଇଁ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୩୩ ହଜାର ୩୮୨ କ୍ୟୁସେକ ଜଳ ପ୍ରବେଶ କରୁଛି ।
ଅଧିକ ପଢନ୍ତୁ : ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା