ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି(ସିଜେଆଇ) ବିଆର ଗବାଇ ଶନିବାର କହିଛନ୍ତି ତାଙ୍କୁ ଅନୁସୂଚିତ ଜାତି ସଂରକ୍ଷଣରେ ଉପବର୍ଗୀକରଣରେ ଦିଆଯାଇଥିବା ନିଜର ଐତିହାସିକ ନିଷ୍ପତ୍ତିକୁ ନେଇ ଖୁବ ସମାଲୋଚନାର ଶିକାର ହୋଇଛନ୍ତି । ଏପରିକି ତାଙ୍କ ଜାତିର ଲୋକ ତାଙ୍କ ବିରୋଧରେ ଛିଡା ହୋଇଛନ୍ତି । ଗୋଆ ହାଇକୋର୍ଟ ବାର ଆସୋସିଏସନ ଦ୍ୱାରା ଆୟୋଜିତ ସମ୍ମାନ ସମାରୋହରେ ସିଜେଆଇ ଗବାଇ କହିଛନ୍ତି, ମୋ ସମୁଦାୟର ଲୋକେ ମଧ୍ୟ ଏହି ନିଷ୍ପତ୍ତିର ସମାଲୋଚନା କରିଛନ୍ତି । ମାତ୍ର ମୁଁ ମାନୁଛି ଯେ, ମୋ ନିର୍ଣ୍ଣୟ ଜନତାଙ୍କ ଆଶା ଅନୁସାରେ ନୁହେଁ, ବରଂ ଆଇନର ଅନ୍ତରଅ।।ତ୍ମା ଅନୁସାରେ ଲେଖାଯାଏ ।
୨୦୨୪ ଅଗଷ୍ଟରେ ସୁପ୍ରିମକୋର୍ଟଙ୍କ ସାତ ଜଣିଆ ବୃହତ ସାମ୍ବିଧାନିକ ପୀଠ ୬-୧ ବହୁମତରେ ନିଷ୍ପତ୍ତି ଶୁଣାଇଥିଲେ ଯେ, ଅନୁସୂଚିତ ଜାତି ସାମାଜିକ ରୂପେ ଏକ ସମାନ ବର୍ଗ ନୁହେଁ ଏବଂ ରାଜ୍ୟଗୁଡିକୁ ସେମାନଙ୍କର ଉପବର୍ଗୀକରଣ କରିବାର ଅଧିକାର ରହିଛି । ଯଦ୍ୱାରା ବଞ୍ଚିତ ଏବଂ ଅବହେଳିତ ବର୍ଗକୁ ସଂରକ୍ଷଣର ଲାଭ ମିଳିପାରେ । ସିଜେଆଇ ଏହା ମଧ୍ୟ କହିଛନ୍ତି, ସଂରକ୍ଷଣରୁ କ୍ରିମି ଲେୟରକୁ ବାହାର କରିବା ତାଙ୍କ ରାୟ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି ।
ଏହା ସହିତ ଅବୈଧ ବୁଲଡୋଜର ଆକ୍ସନ ଉପରେ ସିଜେଆଇ କହିଛନ୍ତି, ଆମେ ଏହା ଦେଖି ଚିନ୍ତିତ ହେଲୁ ଯେ, ଯେଉଁ ଲୋକଙ୍କ ମୋକଦ୍ଦମା ଚାଲିନି, ସେମାନଙ୍କ ଘର ମଧ୍ୟ ଭାଙ୍ଗି ଦିଆଯାଇଛି । ପରିବାରର ସଦସ୍ୟ, ଯାହାଙ୍କ କୌଣସି ଭୁଲ୍ ନାହିଁ, ସେମାନେ ବି ଦଣ୍ଡ ଭୋଗୁଛନ୍ତି । ଏଥିପାଇଁ ଆମେ ନିଷ୍ପତ୍ତି ନେଇଛୁ ଯେ, କାର୍ଯ୍ୟପାଳିକା ନିଜେ ବିଚାରପତି ହୋଇ ପାରିବ ନାହିଁ ।
ନିଜର ୨୨-୨୩ ବର୍ଷର ନ୍ୟାୟିକ କାର୍ଯ୍ୟକାଳ ଉପରେ ସନ୍ତୋଷ ବ୍ୟକ୍ତ କରି ସିଜେଆଇ କହିଛନ୍ତି, ସେ ଗର୍ବିତ ଯେ, ସେ ଭାରତୀୟ ସମ୍ବିଧାନର ଯାତ୍ରାରେ ସାମାଜିକ ଓ ଆର୍ଥିକ ନ୍ୟାୟ ଦିଗରେ କିଛିଟା ଯୋଗଦାନ ଦେଇ ପାରିଛନ୍ତି ।
Also read: ଭାରତ ଚମତ୍କାର କୂଟନୀତି: କେବଳ ପୁଟିନ ନୁହେଁ, ଜେଲେନ୍ସକି ମଧ୍ୟ ଆସିବେ ଭାରତ