ଭୁୁବନେଶ୍ୱର: ଅଷ୍ଟ୍ରେଲିଆ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏମିତି ବିସ୍ଫୋରକ ବ୍ୟାଟିଂ କରିଛି ଯାହା କ୍ରିକେଟ୍ ଜଗତରେ ଚହଳ ପକାଇ ଦେଇଛି । କଙ୍ଗାରୁ ଦଳ ତୃତୀୟ ତଥା ଶେଷ ଦିନିକିଆରେ ଦୁଇ ୱିକେଟ୍ ହରାଇ ୪୩୧ ରନ କରିଛି । ଦିନିକିଆ କ୍ରିକେଟରେ ଅଷ୍ଟ୍ରେଲିଆର ଏହା ଦ୍ୱିତୀୟ ସର୍ବୋଚ୍ଚ ସ୍କୋର । ନିଜର ସବୁଠୁ ବଡ ସ୍କୋରର ରେକର୍ଡ ଭାଙ୍ଗିବା ପାଇଁ ମାତ୍ର ୪ ଦନ ଦୂରରେ ରହି ଯାଇଛି ଅଷ୍ଟ୍ରେଲିଆ । ଓପନର ଟ୍ରେଭିସ ହେଡ, କାମଚଳା ଅଧିନାୟକ ମିଚେଲ ମାର୍ଶ ଏବଂ ଅଲରାଉଣ୍ଡର କ୍ୟାମେରୁନ ଗ୍ରୀନ ବିସ୍ଫୋରକ ଶତକୀୟ ଇନିଂସ ଖେଳି ଦଳର ସ୍କୋରକୁ ୪୩୧ ରନରେ ପହଞ୍ଚାଇଛନ୍ତି । ଇତିହାସରେ ପ୍ରଥମ ଥର କୌଣସ ଦିନିକିଆରେ ଅଷ୍ଟ୍ରେଲିଆର ତିନି ଜଣ ଖେଳାଳି ଶତକ ହାସଲ କରିଛନ୍ତି । ଏହା ପୂର୍ବରୁ ଏହି କାରନାମା ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ କରିଥିଲା ।
ଆୟୋଜକ ଅଷ୍ଟ୍ରେଲିଆ ମେକେର ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଡ୍ ଓ ମାର୍ଶ ଦମଦାର ଆରମ୍ଭ ଦେଇଥିଲେ । ଦୁଇ ବ୍ୟାଟର ଓପନିଂରେ ୨୫୦ ରନ ଯୋଡି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ । ୩୫ତମ ଓଭରରେ ହିଁ ଅଷ୍ଟ୍ରେଲିଆକୁ ପ୍ରଥମ ଝଟକା ଲାଗିଥିଲା । ହେଡ ସ୍ପିନର କେଶବ ମହାରାଜଙ୍କ ଶିକାର ହୋଇଥିଲେ । ସେ ୧୦୩ ବଲରୁ ୧୭ ଚୌକା ଓ ୫ ଛକା ଜରିଆରେ ୧୪୨ ରନ କରିଥିଲେ । ଏହା ପରେ ମାର୍ଶ ୩୭ତମ ଓଭରରେ ଆଉଟ୍ ହୋଇଥିଲେ । ସେ ୧୦୬ ବଲରୁ ୬ ଚୌକା ଏବଂ ୫ ଛକା ସହ ୧୦୦ ରନ କରିଥିଲେ ।
ଉାର୍ଶଙ୍କ ଆଉଟ୍ ପରେ ଗ୍ରୀନ ମୋର୍ଚ୍ଚା ସମ୍ଭାଳିଥିଲେ । ସେ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ଗ୍ରୀନ ୫୫ ବଲରେ ଅପରାଜିତ ୧୧୮ ରନ କରିଥିଲେ । ଏଥିରେ ୬ ଚୌକା ଓ ୮ ଛକା ସାମିଲ । ସେ ୪୭ ବଲରୁ ଶତକ ହାସଲ କରିଥିଲେ । ଦିିନକିଆ କ୍ରିକେଟରେ ଅଷ୍ଟ୍ରେଲିଆ ପକ୍ଷରୁ ଏହା ଦ୍ୱିତୀୟ ଦ୍ରୁତତମ ଶତକ । ତାଙ୍କ ସହିତ ଆଲେକ୍ସ କେରି ୩୭ ବଲରୁ ୫୦ ରନ କରି ଅପରାଜିତ ଥିଲେ ।
ଦିନିକିଆ କ୍ରିକେଟରେ ଅଷ୍ଟ୍ରେଲିଆରେ ସର୍ବୋଚ୍ଚ ସ୍କୋର
୪୩୪/୪ ବନାମ ଦକ୍ଷିଣ ଆଫ୍ରିକା, ଜୋହାନ୍ସବର୍ଗ, ୨୦୦୬
୪୩୧/୨ ବନାମ ଦକ୍ଷିଣ ଆଫ୍ରିକା, ମେକେ, ୨୦୨୫
୪୧୭/୬ ବନାମ ଆଫଗାନିସ୍ତାନ, ୱାକା, ୨୦୧୫
୩୯୯/୮ ବନାମ ନେଦରଲାଣ୍ଡ, ଦିଲ୍ଲୀ, ୨୦୨୩
ALso read- କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇ ଭାବପ୍ରବଣ ପୋଷ୍ଟ କଲେ ଚେତେଶ୍ୱର ପୂଜାରା