ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୪୮ ଘଣ୍ଟାରେ ଏହା ଘନୀଭୂତ ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ରାଜ୍ଯର ପ୍ରାୟ ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ଏଥି ସହିତ ୩୦ରୁ ୪୦ କିମି ବେଗରେ ପବନ ବହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯିବା ସହ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣି ସହ ଜିଲା ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟପଟେ ପୁଣି ବର୍ଷାରେ ଉବୁଟୁବୁ ଉତ୍ତର ଓଡ଼ିଶା। ସୁବର୍ଣ୍ଣରେଖା ଓ ବୈତରଣୀ ଜଳସ୍ତର ବିପଦସଂକେତ ଉପରେ ଥିବା ବେଳେ ଆସନ୍ତା ୨୮ ତାରିଖ ଯାଏଁ ରହିଛି ଅତି ପ୍ରବଳ ବର୍ଷା ସମ୍ଭାବନା। ତେଣୁ ଆଗକୁ ବର୍ଷା ଲାଗିରହିଲେ ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଣି ବନ୍ୟା ଆସିବାର ଆଶଙ୍କା ରହିଛି।