କେନ୍ଦ୍ରାପଡା : ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରି କୁଦାନଗରୀ ଥାନାର ଜଣେ କନେଷ୍ଟବଳ ଅଡୁଆରେ ପଡିଛନ୍ତି । ଏହି ପ୍ରେମ ନିବେଦନର ଅଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହାସହ ମହିଳା ଜଣକ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ମହିଳା ଜଣକ ତାଙ୍କ ଅଭିଯୋଗ କରିଛନ୍ତି ଯେ ସେ ଜଣେ ଅସହାୟ ମହିଳା । ଏହାର ସୁଯୋଗ ନେଇ କୁଦାନଗରୀ ଥାନାରେ ନିଯୁକ୍ତ ଜଣେ କନେଷ୍ଟବଳ ତାଙ୍କୁ ବାରମ୍ବାର ଫୋନରେ ପ୍ରେମ ନିବେଦନ କରିଥିଲେ । ଏଥିରେ ଅରାଜି ହେବାରୁ ମହିଳାଙ୍କୁ ଜୀବନରେ ମାରି ଦେବାକୁ ମଧ୍ଯ ଧମକ ଦେଉଛନ୍ତି ।
ଆହୁରି ସେ କହିଛନ୍ତି ଯେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ମାର୍ଶଘାଇ ଛକ ନିକଟରେ କନଷ୍ଟେବଳ ଜଣକ ତାଙ୍କୁ ଦେଖା କରିବା ପାଇଁ ଡାକିଥିଲେ ଏବଂ କହିଥିଲେ ଲକ୍ଷେ ଟଙ୍କା ଦରମା ପାଉଛି । ଯାହା ଚାହିଁବୁ ତୋତେ ଦେବି ବୋଲି ମହିଳାଙ୍କୁ କନେଷ୍ଟବଳ ଜଣକ କହିଥିଲେ । କନେଷ୍ଟବଳଙ୍କୁ ଧରା ପକାଇବା ପାଇଁ ମହିଳା ଜଣକ ମାର୍ଶାଘାଇ ଜଣେ ସଂପର୍କୀୟଙ୍କ ଘରକୁ ଡାକିଥିଲେ । କନେଷ୍ଟବଳ ସେଠାରେ ପହଞ୍ଚି ତାଙ୍କ ଚରିତ୍ରକୁ ନେଇ ଗାଳିଗୁଲଜ କରିଥିଲେ । ଏହାପରେ ତାଙ୍କୁ ଆଲିଙ୍ଗନ କରିଥିଲେ । ଏଥିରେ ସେ ଅରାଜି ହେବାରୁ ତାଙ୍କ ତଣ୍ଟିକୁ ଚିପି ଦେବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ବୋଲି ମହିଳା ଜଣକ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।