ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଆଜି ଦିନସାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଉତ୍ତର ଓଡ଼ିଶା ଓ ଗାଙ୍ଗେଟିକ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିଲା। ଯାହାର ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ହୋଇଥିଲା । ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ବିଜୁଳି, ଘଡଘଡି ହେବାର ସମ୍ଭାବନା ରହିଛି । ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ବର୍ଷାର ସମ୍ଭାବନା ରହିଛି। ଆଜି ବର୍ଷା ପାଇଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆସନ୍ତାକାଲି ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଉକ୍ତ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷାର ପରିମାଣ ବଢିବ। ଏନେଇ କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ମୟୂରଭଞ୍ଜ, କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ସହିତ ୩୦ରୁ ୪୦ କିମିର ପବନର ବେଗ ରହିବ । ରାଜ୍ୟରେ ପାଗ ମେଘୁଆ ହେବା ସହିତ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଲୋକଙ୍କୁ ସତର୍କତାର ସହିତ ରହିବା ପାଇଁ ସୂଚନା ଦିଆଯାଇଛି ।