ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆଜି ଅଧିକରୁ ଅଧିକ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଉଛି ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ । ସେହିପରି ଝଟକା ପବନ ୪୦ରୁ ୫୦ କିମି ବେଗରେ ବହିବାର ସମ୍ଭାବନା ଥିବାରୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ନଯିବାକୁ କୁହାଯାଇଛି । । ଆସନ୍ତା ୨୯ ତାରିଖ ଯାଏ ବର୍ଷା ଲାଗି ରହିବ । ୩୦ରୁ କମିବ ବର୍ଷାର ପରିମାଣ ।
୨୭ ତାରିଖରେ ୧୧ ଜିଲ୍ଲାକୁ ଛାଡି ଦେଲେ ବାକି ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଜୁଲାଇ ୨୮ ଓ ୨୯ ତାରିଖ ପାଇଁ ପୁରା ରାଜ୍ୟରେ ବର୍ଷା ସମ୍ଭାବନା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଏହାପରେ ୩୦ ତାରିଖରୁ ବର୍ଷାର ପରିମାଣ କମିବ । କୌଣସି ଓ୍ବାର୍ଣ୍ଣିଂ ଜାରି ହୋଇନାହିଁ । ରାଜ୍ୟର କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହେବା ସମ୍ଭାବନା ଥିବାରୁ ଆକସ୍ମିକ ବନ୍ୟା ଆସିବା ନେଇ ସତର୍କ କରାଯାଇଛି । ସମସ୍ତ ଜିଲ୍ଲାପାଳଙ୍କୁ ସଚେତନ ରହିବା ସହ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।