ଫୁଲବାଣୀ: ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫୁଲବାଣୀସ୍ଥିତ ସରକାରୀ ଆଇଟିଆଇ କଲେଜର ପୂର୍ବତନ ଅଧ୍ୟକ୍ଷ ସରୋଜ କାନ୍ତ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ସୋମବାର ମାମଲାର ଶୁଣାଣି କରି ସରୋଜକାନ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେବା ସହିତ ୫୦ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ବର୍ତ୍ତମାନ ସେ ଢେଙ୍କାନାଳ ସରକାରୀ ପଲିଟେକ୍ନିକ୍ କଲେଜରେ ଇଲେକ୍ଟ୍ରୋନିକ୍ସ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି ।
ମାମଲାରେ ଭିଜିଲାନ୍ସ ବିଭାଗ ପୂର୍ବତନ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲା । ଅଦାଲତ ସମସ୍ତ ଦିଗକୁ ବିଚାର କରି ତାଙ୍କୁ ଦଣ୍ଡିତ କରିଛନ୍ତି । ଦୋଷୀ ସାବ୍ୟସ୍ତ ହେବା ପରେ ଭିଜିଲାନ୍ସ ବର୍ତ୍ତମାନ ଢେଙ୍କାନାଳ ସରକାରୀ ପଲିଟେକ୍ନିକ୍ ଚାକିରିରୁ ବହିଷ୍କାର କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବ ।