ବଳଙ୍ଗା: ଆଜି ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଶେଷ ବୟାନ ରେକର୍ଡ ହେବ । ପୁରୀ ଡିଏସପି, ବଳଙ୍ଗା ଥାନା ଅଧିକାରୀ ଉପସ୍ଥିତିରେ ବୟାନ ରେକର୍ଡ ହେବ ବୋଲି ସୂଚନା ମିଳିଛି । ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ପାଇଁ ପୁରୀ ଡିଏସ୍ପି, ବଳଙ୍ଗା ଥାନା ଅଧିକାରୀଙ୍କ ମିଳିତରେ ଏକ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମ୍ ଦିଲ୍ଲୀ ଗସ୍ତ କରିଥିଲା । ସୋମବାର ଦୀର୍ଘ ୩୦ ମିନିଟ୍ ଧରି ପୀଡିତାଙ୍କ ବୟାନକୁ ରେକର୍ଡ କରିଥିଲା ଉକ୍ତ ଟିମ୍ । ବର୍ତ୍ତମାନ ସୁଦ୍ଧା ପୀଡିତାଙ୍କର ୩ ଥର ବୟାନ ରେକର୍ଡ ହୋଇସାରିଲାଣି । ପୁଣି ଆଉ ଥରେ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି । ଆଜି ବୟାନ ରେକର୍ଡ କରି ତଦନ୍ତକାରୀ ଟିମ୍ ଓଡ଼ିଶା ଫେରିବେ । ପୀଡିତାଙ୍କ ବୟାନ ରେକର୍ଡ ପରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୀଡ଼ିତାଙ୍କ ଘର ସାମ୍ନାରେ ସୁରକ୍ଷା ପାଇଁ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି ।
ସୂଚନା ଯୋଗ୍ୟ, ଗତ ଜୁଲାଇ ୧୯ ତାରିଖରେ ବଳଙ୍ଗାରେ ତିନି ଜଣ ଦୁର୍ବୃତ୍ତ ନାବାଳିକାକୁ ଉଠାଇ ନେଇ କିରୋସିନି ଢାଳି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ି ଜଣଙ୍କ ଘରେ ପହଞ୍ଚିଥିଲେ । ଏହା ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରିଥିଲେ । କିନ୍ତୁ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ପୋଲିସ ଏହି ଘଟଣାର ତନାଘନା ତଦନ୍ତ କରୁଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରିପାରିନାହିଁ । ଘଟଣାସ୍ଥଳରୁ ପୋଲିସ କିରୋସିନି ତେଲ ବୋତଲ ସହ ପୋଡ଼ା କପଡ଼ା ଜବତ କରିଛି । ଏହା ସହିତ ଏକ ରୁପା ମୁଦି ମଧ୍ୟ ମିଳିଛି । ପୋଲିସ ସମସ୍ତ ତଥ୍ୟକୁ ଆଧାର କରି ଘଟଣାର ତଦନ୍ତ ଜାରି ରଖିଛି ।