ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଆଡାସିକୁପା ନିକଟ ପାଙ୍ଗାନାଜୁ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପାଙ୍ଗାନାଜୁ ଗାଁରେ ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା ହାତୀ । ବୃଦ୍ଧ ଜଣକ ଶୌଚ ପାଇଁ ବାହାରକୁ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡିଯାଇଥିଲେ । ଫଳରେ ହାତୀ ଆକ୍ରମଣର ସେ ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ପରିବାରରେ ଶୋକର ଛାୟା ଖେଳିଯିବା ସହିତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ଜଙ୍ଗଲ ନଷ୍ଟ ହେବା ଫଳରେ ହାତୀ ଗାଁ ମୁହାଁ ହେଉଛନ୍ତି । ଖାଦ୍ୟ ଖୋଜିଖୋଜି ହାତୀ ଗାଁରେ ପଶି ଲୋକଙ୍କ ଧନଜୀବନ ନଷ୍ଟ କରିବା ସହିତ ବହୁ ଲୋକଙ୍କ ଜୀବନ ନେଉଛନ୍ତି । ହାତୀ ଭୟରେ ଲୋକମାନେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି । ବାରମ୍ବାର ହାତୀ ଆକ୍ରମଣରେ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।