ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ୧୭ ତାରିଖରୁ ୨୪ ତାରିଖ ମଧ୍ୟରେ ବୁଲା କୁକୁର ଗଣନା କରାଯିବ । ବିଏମ୍ ସି ଅଂଚଳରେ ଥିବା ୬୭ଟି ଓ୍ୱାର୍ଡର ସମସ୍ତ ଗଳିକନ୍ଦିରେ ଏହି କୁକୁର ଗଣନା କାର୍ଯ୍ୟ ହେବ। ଦୁଇଟି ପର୍ଯ୍ୟାୟରେ ଭୋର ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କୁକୁର ଗଣନା କରାଯିବ । ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୧୭ରୁ ୨୦ ତାରିଖ ଓ ଦ୍ୱିତୀୟ ପର୍ୟ୍ୟାୟ ୨୧ରୁ ୨୪ ତାରିଖ ମଧ୍ୟରେ ବିଏମ୍ ସି ଅଂଚଳରେ ଥିବା ସମସ୍ତ ବୁଲା କୁକୁର ଗଣନା କରାଯିବ । ଏନେଇ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି । ଏନେଇ ତାଲିମ ମଧ୍ୟ ପ୍ରଦାନ କରାଯାଉଛି ।
ଏଥିପାଇଁ ଜୋନ୍, ଓ୍ୱାର୍ଡ ଓ ଓ୍ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଟିମ୍ ଗଠନ କରାଯାଇଛି । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କରାଯିବ । ୪୧୦ଟି ଟିମ୍ ଭୁବନେଶ୍ୱରର ବିଭିନ୍ନ ଗଳିକନ୍ଦିରେ କୁକୁର ଗଣନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୁକୁର ଗଣନା ମାଧ୍ୟମରେ ବୁଲା କୁକୁରଙ୍କ ସଂଖ୍ୟା ଜାଣିବା ସହିତ ସେମାନଙ୍କର ଭ୍ୟାକସିନେସନ ହୋଇଛି କି ନାହିଁ ତାହା ଜଣାପଡିବ । ବୁଲା କୁକୁରମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ଉନ୍ନତି ଆଣିବା ସହ ବୁଲା କୁକୁର ମଣିଷକୁ ଯେଉଁଭଳି ଆକ୍ରମଣ କରୁଛନ୍ତି ତାହା ମଧ୍ୟ ହ୍ରାସ ହୋଇପାରିବ ।