ନୂଆଦିଲ୍ଲୀ: ଦୀର୍ଘ ଦିନର ବିରତି ପରେ ପୁଣି ଥରେ ଯାତ୍ରା ମଞ୍ଚକୁ ଫେରିବେ ବିବାଦୀୟ ଅଭିନେତା ପୀୟୂଷ ତ୍ରିପାଠୀ । ଆସନ୍ତାବର୍ଷ ଜାନୁଆରୀ ୫ରୁ ଯାତ୍ରା ସିଂହବାହିନୀରେ ନାଟକ କରିବେ ଚର୍ଚ୍ଚିତ ଅଭିନେତା ପୀୟୂଷ । ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସିଂହବାହିନୀର ମାଲିକ ସଞ୍ଜୀବ ପାଢୀ ।
ସଞ୍ଜୀବ ପାଢୀ କହିଛନ୍ତି, ଯାତ୍ରା ସିଂହବାହିନୀର ନୂଆ ନାଟକ ତୁ ମୋ ବଜରଙ୍ଗୀ ନାଟକ ଜରିଆରେ ମଞ୍ଚକୁ ଫେରିବେ ପୀୟୂଷ । ଏଥିରେ ସେ ରାମ ଭୂମିକାରେ ଅଭିନୟ କରିବେ । ନାଟକରେ ତାଙ୍କ ଭୂମିକା ଫାଇନାଲ୍ ହୋଇ ସାରିଛି । ଆସନ୍ତା ଦଶହରା ନବମୀରେ ନାଟକର ଟିଜର ସହ କଳାକାର ଘୋଷଣା ହେବ ବୋଲି କହିଛନ୍ତି ସଞ୍ଜୀବ ପାଢୀ । ଦର୍ଶକମାନଙ୍କର ଭଲ ପାଇବା ଏବଂ ଅନୁରୋଧ ରକ୍ଷା କରି ମଞ୍ଚରେ ଅଭିନୟ କରିବାକୁ ଆସୁଛନ୍ତି ପୀୟୂଷ । ତେବେ ଏ ସଂପର୍କରେ ପୀୟୂଷ କିମ୍ବା ଯାତ୍ରା ମାଲିକ ସଂଘ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
ସୂଚନାଯୋଗ୍ୟ, ଦୁଇ ଯାତ୍ରା ପାର୍ଟି ସୂର୍ଯ୍ୟମନ୍ଦିର ଓ ସିଂହବାହିନୀରୁ ଅଗ୍ରୀମ ଟଙ୍କା ନେବା ନେଇ ବିବାଦ ଉପୁଜିଥିଲା । ଏହାକୁ ନେଇ ଯାତ୍ରା ମାଲିକ ଓ ପୀୟୂଷଙ୍କ ମଧ୍ୟରେ ବିବାଦ ଘନେଇଥିଲା । ଏପିରିକି ପୀୟୁଷ କେଉଁ ଯାତ୍ରା ପାର୍ଟିକୁ ଯିବେ । ତାକୁ ନେଇ ବି ସସ୍ପେନ୍ସ ବଢୁଥିଲା । ଗୋଟିଏ ପଟେ ସୂର୍ୟ୍ୟମନ୍ଦିର ଆଉ ଗୋଟିଏ ପଟେ ସିଂହବାହିନୀ । କେଉଁ ଯାତ୍ରା ପାର୍ଟିକୁ ଯିବେ, ସେନେଇ କୌଣସି ଆଧିକାରିକ ଘୋଷଣା ହୋଇନଥିଲା । ହେଲେ ଏବେ ପୀୟୁଷ ପୁଣି ଥରେ ମଞ୍ଚକୁ ଫେରିବା ନେଇ ସୂଚନା ମିଳିଛି।