ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଶରତ ଥାନା ଦେବାନବାହାଳି ଗାଁରେ ରାତି ଅଧରେ ଜଣଙ୍କ ଘରେ ଚୋର ପଶି ସୁନା ଗହଣା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଶୋଇଥିବା ବେଳେ ବନ୍ଧୁକ ଦେଖାଇ ୫ ଦୁର୍ବୃତ୍ତ ଘରେ କଳାକନା ବୁଲାଇଦେଇଛନ୍ତି । ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଦେବାନବାହାଳି ଗାଁର ଚନ୍ଦନ ନାୟକ ଓ ତାଙ୍କ ଭାଇ ରଞ୍ଜନ ନାୟକ ଘରେ ଶୋଇଥିବା ସମୟରେ ୫ ଜଣ ଦୁର୍ବୃତ୍ତ ଘର ଭିତରେ ପଶିଥିଲେ । ଦୁଇ ଭାଇଙ୍କୁ ବନ୍ଧୁକ ମୁନରେ ଟାର୍ଗେଟ କରି ଦୁର୍ବୃତ୍ତ ଘରେ ଥିବା ନଗଦ ଟଙ୍କା ସହ ସୁନା ଗହଣା ଲୁଟ୍ କରିନେଇଥିଲେ । ୫ ଜଣ ଦୁର୍ବୃତ୍ତ ୨ ଗୋଟି ବନ୍ଧୁକ ଧରିଥିଲେ । ଲୁଟ୍ କରିବା ପରେ ଦୁର୍ବୃତ୍ତ ଘର ବାହାର ପାଖରୁ କବାଟ ବନ୍ଦ କରିବା ସହ ମୁଖ୍ୟ ଗେଟରେ ତାଲା ପକାଇ ଫେରାର ହୋଇଯାଇଥିଲେ ।
ଘରେ ଥିବା ନଗଦ ୧୫ ହଜାର ଟଙ୍କା ସହ ୩ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଶରତ ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।