ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲାରେ ନିଜର ପରିଜନଙ୍କୁ ହରାଇଥିବା ପୀଡିତ ପରିବାର ଶନିବାର ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚର କଡା ବିରୋଧ କରିଛନ୍ତି । ପୀଡିତ ପରିବାରଙ୍କ କହିବା କଥା ଯେବେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ୨୬ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ହତ୍ୟା କଲେ, ତେବେଠୁ ପାକିସ୍ତାନ ସହ କୌଣସି ପ୍ରକାରର ସମ୍ବନ୍ଧ ରଖିବା ଉଚିତ୍ ନୁହେଁ ।
ପହଲଗାମରେ ପିତା ଓ ଭାଇକୁ ହରାଇଥିବା ସାବନ ପରମାର କହିଛନ୍ତି, ଯେବେଠୁ ଭାରତ-ପାକିସ୍ତାନ ମ୍ୟାଚର ଖବର ଆସିଛି, ତେବେଠୁ ଆମେ ବହୁତ ନିରାଶ ଅଛୁ । ପାକିସ୍ତାନ ସହ କୌଣସି ପ୍ରକାରର ସମ୍ବନ୍ଧ ରଖିବା ଉଚିତ୍ ନୁହେଁ । ଯଦି ମ୍ୟାଚ୍ ଖେଳିବାର ଅଛି ତେବେ ମୋର ୧୬ ବର୍ଷର ଭାଇକୁ ଫେରାଇ ଦିଅ, ଯାହାକୁ ଗୁଳି କରି ଆତଙ୍କୀ ହତ୍ୟା କରିଥିଲେ । ଏବେ ଲାଗୁଛି ଅପରେସନ ସିନ୍ଦୂର ବେକାର ହୋଇ ଯାଇଛି ।
ପହଲଗାମ ହମଲାରେ ନିଜ ସ୍ୱାମୀଙ୍କୁ ହରାଇଥିବା ନବ ବିବାହିତ ଅଇଶାନ୍ୟା ଦ୍ୱିବେଦୀ ମଧ୍ୟ ବିସିିସିଆଇକୁ ଶାଣିତ ଶବ୍ଦରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ବିିସିସିଆଇ କାହାରି ଉପରେ ଗନ ପଏଣ୍ଟରେ ମ୍ୟାଚ୍ କରାଇ ପାରିବ ନାହିଁ । କେବଳ ଜଣେ କି ଦୁଇ ଜଣ ଖେଳାଳିଙ୍କୁ ବାଦ୍ ଦେଲେ ଏହି ମ୍ୟାଚକୁ ଅନ୍ୟ ଖେଳାଳି ବହିଷ୍କାର କଲେ ନାହିଁ, ଯାହା ଦୁଭାର୍ଗ୍ୟପୂର୍ଣ୍ଣ କଥା ।
ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଧର୍ମ ପଚାରି ୨୬ ହିନ୍ଦୁ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ନରସଂହାର ପରେ କେନ୍ଦ୍ର ସରକାର ଅପରେସନ ସିନ୍ଦୂର ଆରମ୍ଭ କରିଥିଲେ । ଏଥିରେ ପାକିସ୍ତାନ ଓ ପିଓକେ ସ୍ଥିତ ଅନେକ ଆତଙ୍କୀ ଶିବିର ଓ ପାକିସ୍ତାନ ଏୟାର ଡିଫେନ୍ସ ସିଷ୍ଟମ ଉପରେ ହମଲା କରିଥିଲା ଭାରତ ।
Also read: ବୟକଟ କ୍ୟାମ୍ପେନକୁ ନେଇ ଚିନ୍ତିତ ଟିମ୍ ଇଣ୍ଡିଆ, ଗମ୍ଭୀରଙ୍କ ପାଖରେ ପହଞ୍ଚିଲେ ସୂର୍ଯ୍ୟା-ଗିଲ୍