ଗଜପତି: ଆଜିର ଯୁଗରେ ଇଣ୍ଟରନେଟ୍ ବିନା ଚଳିବା ବହୁତ କଷ୍ଟ ହୋଇପଡୁଛି । କାରଣ ବର୍ତ୍ତମାନ ସମୟରେ ଅଫିସ କାମ ଠାରୁ ଆରମ୍ଭ କରି ପେମେଣ୍ଟ ଯାଏଁ ଏବେ ସବୁ କିଛି ଅନଲାଇନ୍ ଜରିଆରେ ହିଁ ହେଉଛି, କିନ୍ତୁ ଏବେ ବି ଓଡ଼ିଶାର ଏଭଳି କିଛି ଗାଁ ରହିଛି, ଯେଉଁଠି ଇଣ୍ଟରନେଟ୍ ସେବା ସଠିକ୍ ଭାବେ ଲୋକଙ୍କ ପାଖେ ପହଞ୍ଚି ପାରୁନାହିଁ । ନେଟୱାର୍କ ଟିକେ ପାଇବା ଲାଗି ଲୋକଙ୍କୁ ଅନେକ ସଂଘର୍ଷ କରିବାକୁ ପଡୁଛି । ସିଗନାଲ ଟିକେ ପାଇବା ଲାଗି ଗଛ ଚଢିବାକୁ ପଡ଼ୁଛି। ଫୋନରେ କଥା ହେବା ପାଇଁ କିମ୍ବା ଅନଲାଇନ୍ କାମ ପାଇଁ ଗାଁ ଠାରୁ ଦୁଇ କିଲୋମିଟର ରୁ ତିନି କିଲୋମିଟର ଦୂରକୁ ଯିବା ପାଇଁ ପଡୁଛି। ଗାଁ ମୁଣ୍ଡ ଗଛ ହିଁ ଲୋକଙ୍କ ଭରସା ପାଲଟିଛି । କାରଣ ଏଇଠି ମୋବାଇଲ ରହିଲେ ସିଗନାଲ୍ ମିଳୁଛି, ଆଉ ଫୋନକଲ ଆସୁଛି। ପାହାଡ ପର୍ବତ ଘେରା ଗଜପତି ଜିଲ୍ଲାରୁ ଆସିଛି ଏଭଳି ଖବର।
ଜିଲ୍ଲାର ରାୟଗଡ ବ୍ଲକ କେରାଣ୍ଡି ପଞ୍ଚାୟତ ଏ ଅନ୍ତର ସିଂଙ୍ଗ୍ ଓ ବି, ଅନ୍ତର ସିଂଙ୍ଗ୍ ଗାଁର ଲୋକମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗାଁକୁ ନେଟୱାର୍କ ନ ଆସୁଥିବାରୁ ଏଠାରେ ଜରୁରୀକାଳୀନ ସ୍ଥିତିରେ ଯୋଗଯୋଗ କରିବା ଲାଗି କିଏ ତ ଗଛ ଉପରେ ଚଢ଼ୁଛି ତ କିଏ ଛାତ ଉପରକୁ। ଏହି ଦୁଇଟି ଗାଁ ମିଶି ଜନସଂଖ୍ୟା ପ୍ରାୟ ୩୫୦ରୁ ଅଧିକ ହେବ। ଦୁଇ ଗାଁ ପାଇଁ ଗୋଟିଏ ଟାୱାର ଅଛି କିନ୍ତୁ ତାହା କିଛି କାମରେ ଆସୁନାହିଁ।
ମାସ ମାସ ଧରି ନେଟୱାର୍କ ନ ମିଳିବାରୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଗାଁରେ କାହା ଦେହ ଖରାପ ହେଲେ ଆମ୍ବୁଲାନ୍ସକୁ ଫୋନ୍ କରିବା, କୌଣସି OTP ପାଇଁ କିମ୍ବା କୌଣସି ଅନଲାଇନ୍ କାର୍ଯ୍ୟ ପାଇଁ ଲୋକେ ବାଧ୍ୟ ହୋଇ ୨ ରୁ ୩ କିଲୋମିଟର ଦୂରକୁ ଯାଆନ୍ତି। ଗାଁର ଗୋଟିଏ ଦୁଇଟି ସ୍ଥାନରେ ନେଟୱାର୍କ ଆସୁଛି। ସେଥିପାଇଁ ଜରୁରୀ କାଳୀନ ସମୟରେ କିଏ ସ୍କୁଲ କିମ୍ବା ଅଙ୍ଗନବାଡ଼ି ଛାତ ଉପରକୁ ଚଢୁଛି ତ କିଏ ଗଛ ଉପରେ ଚଢ଼ୁଛି। ନେଟୱାର୍କ ପାଇବା ପାଇଁ ଗାଁରୁ ଦୁଇ ରୁ ତିନି କିଲୋମିଟର ଦୂରକୁ ଯିବାକୁ ପଡିଥାଏ। ଏହି ଗ୍ରାମ ବାସିନ୍ଦା ପକ୍ଷରୁ ଜନଶୁଣାଣୀରେ ଅନୁରୋଧ କରିଛନ୍ତି କି ସେମାନେ ନେଟୱାର୍କ ପାଇଁ ବହୁତ ସମସ୍ୟା ଭୋଗୁଛନ୍ତି ତେଣୁ ଗାଁକୁ ଯେକୌଣସି ଭଲ ନେଟୱାର୍କର ସୁବିଧା ଦିଅନ୍ତୁ।