ସମ୍ବଲପୁର: ପୁଣି ସମ୍ବଲପୁର ପୋଲିସ ଦ୍ବାରା ଏନକାଉଣ୍ଟର । ଏଥର ଦୁର୍ଦ୍ଦାନ୍ତ ଅପରାଧି ସୀତାରାମ ଷଡଙ୍ଗୀକୁ ଏନକାଉଣ୍ଟର କରିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ପୋଲିସ। ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ୫ ଟା ୧୫ ସମୟରେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ରଙ୍ଗଟିକିରା ଗାଁ ନିକଟରେ ଏହି ଏନକାଉଣ୍ଟର କରିଛି ପୋଲିସ। ତେବେ ଏନକାଉଣ୍ଟର କରାଯାଇଥିବା ଦୁର୍ଦ୍ଦାନ୍ତ ଅପରାଧି ସୀତାରାମ ନାଁରେ ଡକାୟତି, ଚୋରି, ହତ୍ଯା ଉଦ୍ଯମ ଭଲି ୨୫ ରୁ ଉର୍ଦ୍ଧ୍ବ ମାମଲା ବିଭିନ୍ନ ଥାନାରେ ରହିଛି।
ତେବେ ପୋଲିସ ଆଜି ସକାଳେ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବାବେଳେ ପୋଲିସକୁ ଦେଖି ଗିରଫଦାରୀ ଏଡାଇବାକୁ ଯାଇ ଅଭିଯୁକ୍ତ ଜଣକ ପ୍ରଥମେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା। ଫଳରେ ପୋଲିସ ନିଜ ଆତ୍ମରକ୍ଷା କରିବାପାଇଁ ଏନକାଉଣ୍ଟର କରିଛି । ଏଥିଯୋଗୁ ଅଭିଯୁକ୍ତ ସୀତାରାମର ବାମ ଗୋଡରେ ଗୁଳି ବାଜିଥିବାବେଳେ ତାକୁ ପ୍ରଥମେ କୁଚିଣ୍ଡା ଓ ପରେ ବୁର୍ଲା ଭୀମସାର ମେଡିକାଲ ଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ପୋଲିସ ଅଭିଯୁକ୍ତଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି,୨ ଟି ଖୋକା, ୧ ଲକ୍ଷ ଟଙ୍କା ଓ ଗୋଟିଏ ବାଇକକୁ ଜବତ କରିଥିବା ନେଇ ସୂଚନା ମିଳିଛି।