ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧିନସ୍ଥ ନୂଆନନ୍ଦ ପଞ୍ଚାୟତ ବଡ଼ହାଟୁଆରି ଗାଁରେ ପାଟୁଆ ନାଚ ବେଳେ ଅଘଟଣ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ । ଅତିରିକ୍ତ ଜିଲ୍ଲାପାଳ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ଗତକାଲି ସନ୍ଧ୍ୟାରେ ପଣା ସଂକ୍ରାନ୍ତି ଅବସରରେ ବଡ଼ହାଟୁଆରି ଗାଁରେ ପାଟୁଆ ନାଚ ବେଳେ ୧୧ କେଭି ବିଦ୍ୟୁତ ତାର ଲାଗି ୨ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ ହାଟୁଆରି ଗ୍ରାମର ମାନସ ମଲ୍ଲିକ (୨୦) ଓ ଆରସା ଗ୍ରାମର ଶରତ ଓରଫ୍ କାହ୍ନୁଆ ମହାଳିକ (୨୭)। ଏହି ସହିତ ୧୦ଜଣ ଗୁରୁତର ହୋଇଥିଲେ । ୨ ଜଣଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ପାଟୁଆ ନାଚ ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଡିଜେ ଗାଡ଼ି ଆସିବାରୁ ନିଆଁ ଲାଗି ଯାଇଥିଲା । ଖବର ପାଇ ଭଦ୍ରକ ଜିଲ୍ଲାପାଳ, ଏସପି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ।